Unknown

 

 

 

 

 

 

 

 

 

କାବ୍ୟ ବିଳାସ

ରଚନା:- ଗୋକୁଳାନନ୍ଦ ପଟ୍ଟନାୟକ

ସଂକଳନ:- ଜାନକୀ ବଲ୍ଲଭ ପଟ୍ଟନାୟକ

 

ରାଗ- ବଙ୍ଗଳାଶ୍ରୀ

 

ବୃନ୍ଦାବନେ ଥିଲେ              ଏକ ନରପତି

ତାଙ୍କ ନା ଉନିମାଧବ;

ବୃନ୍ଦାରକ ସତେ              ମର୍ତ୍ତ୍ୟେ ଅବତାର

ଦୀନଜନଙ୍କ ବାନ୍ଧବ ।

ଦାନ କରୁଥିଲେ              ଦୁଃଖୀଙ୍କି ସେ ଅନ୍ନ

ବୁଝୁଥିଲେ ରଙ୍କୀ କଥା ;

ଆନ କଥା କିଏ              ପଚାରେ ଜାଣନ୍ତି

ଚଢ଼େଇର ସେଇ ବ୍ୟଥା ।

ସ୍ଥପତି ବିଦ୍ୟାରେ              ନିପୁଣ ଥିଲେ ସେ

କରି ପାରୁଥିଲେ ଚିତ୍ର

ତାଙ୍କ କୃତ ରୂପ              ପ୍ରତିମାକୁ ଦେଖି

ଲୋକେ ମଣୁଥିଲେ ଚିତ୍ର

କାବ୍ୟ ବ୍ୟାକରଣ              ନାଟକାଳଙ୍କାର

ଶାସ୍ତ୍ରରେ ଥିଲେ ପ୍ରବୀଣ ;

ତଦ୍ରୂପ ନୃପତି              କୋଟିକେ ଗୋଟିଏ

ମିଳିବା ବଡ଼ କଠିନ ।

 

ଯାହାଙ୍କ ଗୁଣରେ              ବର୍ଜ୍ଜିଥିଲେ ଚିର-

ବୈର ସରସ୍ଵତୀ ରମା ;

ତାହାଙ୍କ ଶାସନେ              ଦେଶେ ରହିବ କି ?

କଳି ମାଲି ମକଦ୍ଦମା ।

 

ଘର ମଧ୍ୟେ ଥାଇଁ              ପରମ ଭକତ

ଥିଲେ ସେ ଶ୍ରୀକୃଷ୍ଣଙ୍କର

ତୀର୍ଥବାସୀ ଋଷି              ବଇଷ୍ଣବ ରାଶି

ସମ ନ ହେବେ ତାଙ୍କର ।

 

ବଂଶାଦି ବିବିଧ              ବୃକ୍ଷରେ ବେଷ୍ଟିତ

ଥିଲା ତାହାଙ୍କ ପ୍ରାସାଦ;

ସୁଷମା ତାହାର              ଅଟେ ଅସୁମାର

ହରୁଥିଲା ଅବସାଦ ।

 

ନିଶୀଥରେ ଥରେ              ଯବଫଳ ରନ୍ଧ୍ରେ

ସମୀରଣ ପରଶରେ;

ଶୁଣାଗଲା କୃଷ୍ଣ              ବଜାଇଲା ପରି

ମୁରଲୀ ବୃନ୍ଦାବନରେ

 

କାନନେ ବାଜି              ସେ କାନରେ ବାଜିଲା

ଉନିମାଧବ ମାତାଙ୍କ;

କୃଷ୍ଣଙ୍କ ଦର୍ଶନ-              ଇଚ୍ଛା ବଳବତୀ

ହେଲା ହୃଦୟରେ ତାଙ୍କ ।

 

ଦେଖିଥିଲେ ନିଜେ              କୃଷ୍ଣଙ୍କ ମୂର୍ତ୍ତିକି

ଶୁଣିଥିଲେ ବଂଶୀଶବ୍ଦ;

ପୂର୍ବସ୍ତୁତି ଜାଗ-              ରିତ ହୋଇବାରୁ

ତାଙ୍କ ହୃଦ ହେଲା ସ୍ତବ୍ଧ ।

 

ଚିନ୍ମୟଙ୍କ ଭାବେ              ତନ୍ମୟ ହେବାରୁ

ପ୍ରେମେ ରୋମେ ଉଦ୍‌ଗମନ;

କୃଷ୍ଣଙ୍କର ପୂର୍ବ              ଲୀଳା ଦର୍ଶନାଶା

ବର୍ତ୍ମେ ଧାବମାନ ମନ ।

 

ଗୋଧୂଳି ସମୟେ              ଗୋବତ୍ସାଙ୍କ ପଛେ

ରଙ୍ଗେ ବଜାଇ ମୁରଲୀ ;

ଗୋପାଳ ବାଳକ              ସଙ୍ଗେ ଯାଉଥାନ୍ତି

ଗୋପଦାଣ୍ଡେ ଢଳି ଢଳି ।

 

ସୂର୍ଯ୍ୟଜେମା କୂଳେ              ହଳିପ୍ରିୟ ମୂଳେ

ତ୍ରିଭଙ୍ଗଛନ୍ଦରେ ଠିଆ ;

ପାଣିପାଇଁ ଗଲେ              ଆଭୀର ରମଣୀ

ଛଡ଼ାନ୍ତି ପାଣି ମାଠିଆ ।

 

ହୃଦେ ଗୁଞ୍ଜମାଳ              କେକୀପୁଚ୍ଛ ଚୂଳ

ଅପାଙ୍ଗେ ବାଙ୍କ ଚାହାଣି;

ଦେଉଥିଲା ଯାହା              ମହିଳା ଶ୍ରେଣୀଙ୍କ

ଧୈର୍ଯ୍ୟ ମହୀରୁହ ହାଣି ।

 

କାଳରୂପ ସରି-              ତରେ ଭାସି ଯାଇ-

ଅଛି ଯେ ଚରିତ ପନ୍ତି;

ବୃଦ୍ଧାଙ୍କ ମୂର୍ଦ୍ଧାକୁ              ବିଚଳନ କଲା

ସ୍ମତିପଥେ କରି ଗତି ।

 

ସୁତଙ୍କୁ କହିଲେ              “କୁମରମଣି ରେ

ଶିଳ୍ପବିଦ୍ୟା ଜାଣୁ ତୁ ତ;

ଦର୍ଶନ କରିବି              କୃଷ୍ଣମୂର୍ତ୍ତିଟିଏ

ମୋ ପାଇଁ କର ପ୍ରସ୍ତୁତି ” ।

 

ମାତ୍ରାଦେଶ, ଭକ୍ତି,              ଶିଳ୍ପତ୍ଵ , ଏ ତିନି

ଉନିମାଧବଙ୍କ ଚିତ୍ତେ ;

ଆଗ୍ରହ ଉତ୍ପତ୍ତି              କରିବାରୁ ମୂର୍ତ୍ତି

ଗଠନ କଲେ କିଞ୍ଚିତେ ।

 

ଦେଖି ତ ନ ଥିଲେ              କଲେ ପୌରାଣିକୀ

ବାଣୀକି ସେ ଅନୁସରି ;

ଜନନୀଙ୍କ ମନ ନ              ମାନିଲା ତହିଁ

ନ ହେଲା ହରିଙ୍କ ସରି

 

ସୁନ୍ଦର କରି ସେ              ପନ୍ଦରଟି ମୂର୍ତ୍ତି

ଏପରି କଲେ ନିର୍ମ୍ମାଣ;

ମାତ୍ର ତହିଁ ମଧ୍ୟୁ              ଗୋଟିଏ ନ ହେଲା

ନନ୍ଦସୁତଙ୍କ ସମାନ ।

 

କୃଷ୍ଣଙ୍କ ଦର୍ଶନ              ନିମିତ୍ତ ନୃପତି

ନ ଛୁଇଁଲେ ଅନ୍ନ ପାଣି;

ଭକ୍ତଙ୍କ ବେଦନା              ସହି ନ ପାରନ୍ତି

ଭକ୍ତବନ୍ଧୁ ଚକ୍ରପାଣି ।

 

କୁମ୍ଭୀର ଆରତ              ଶୁଣି ଆର୍ତ୍ତତ୍ରାଣ

କୁମ୍ଭୀର କଲ ବିନାଶ

ଦ୍ରୌପଦୀଙ୍କ ଅପ-              ମାନ ହରଣାର୍ଥ

ଦାନ କରିଥିଲ ବାସ

 

ବିପ୍ରଙ୍କ ସମ୍ମାନ              ରକ୍ଷଣ ନିମିତ୍ତ

ସହିଲ ପାଦ ପ୍ରହାର;

ଭେକଡାକ ଶୁଣି              ରଖିଲ ଭୁଜଙ୍ଗ

କରୁଥିଲା ତ ଆହାର ।

 

ଉନିମାଧବଙ୍କ              ସ୍ତବେ ଭାବଗ୍ରାହୀ

ହୋଇଲେ ମୁଗ୍ଧ ପ୍ରସନ୍ନ;

ତୋ ସଦନ ଉପ-              କଣ୍ଠ ତୀର୍ଥେ ମୋର

ମୂର୍ତ୍ତି କରିବୁ ଦର୍ଶନ ।

 

ସ୍ଵପ୍ନେ ଏହିପରି              କହି ଅନ୍ତର୍ହିତ

ହେଲେ ଭକ୍ତ ଚିନ୍ତାମଣି ;

ଆଣିଲେ ସେ ମଣି-              ବିଗ୍ରହ ମୂର୍ତ୍ତିଙ୍କୁ

ନୃମଣି ଶ୍ରୀକୃଷ୍ଣ ମଣି ।

 

ମନ୍ଦିରେ ରଖାଇ              ବନ୍ଦିଜ କଲେ ସେ

ସେବା ପୂଜା ଯଥାବିଧି;

ଅମର ଅକ୍ଷରେ              ରଖି ଗଲେ କୀର୍ତ୍ତି

ଲଭିଲେ ଅଧିକ ସିଦ୍ଧି ।

 

ଦେଖି ତାଙ୍କ ମାତା              ହେଲେ ଆନନ୍ଦିତା

ଚିତ୍ତୁଁ ଚିନ୍ତା ତିରୋହିତ;

ପ୍ରକୃତ ଆକୃତି              ଶ୍ରୀକୃଷ୍ଣଙ୍କର ସେ

ନୁହନ୍ତି ମାତ୍ର ଜୀବିତ ।

 

ଧରିଛନ୍ତି କରେ              ମୁରଲୀ ମାତ୍ର ତା

ବଜାଉ ନାହାନ୍ତି ଥରେ;

ଗତି କଲା ପରି              ଦିଶୁଛନ୍ତି କିନ୍ତୁ

ଚାଲି ନାହାନ୍ତି ପଥରେ ।

 

ହସିଲା ପରାୟେ              ଦିଶୁଛି ବଦନ

ହାସ ନାହିଁ ବିମ୍ଵାଧରେ;

ରୁଣୁ ଝୁଣୁ ବାଜୁ              ନାହିଁ ତ ପୟର

ଅଛି ମାତ୍ରକ ପୟରେ ।

 

ଶୁଣୁଛନ୍ତି ଭକ୍ତ-              ଡାକକୁ କର୍ଣ୍ଣରେ

କାର୍ଯ୍ୟ ସାଧନ୍ତି ନୀରବେ;

ଭୁଞ୍ଜୁତ ନାହାନ୍ତି              ପଡ଼ୁ ଅଛି ଦୃଷ୍ଟି

ମାତ୍ର ଆହାର୍ଯ୍ୟ ଦରବେ ।

 

ଗୋପାଳଙ୍କ ଘରୁ              ଚୋରାଉ ନାହାନ୍ତି

ଦୁଗ୍ଧ ନବନୀତ ସର;

କରୁଥିଲେ ଏହି              କାର୍ଯ୍ୟ ହୋଇଥାନ୍ତେ

ସଜୀବ ନନ୍ଦକୁମର ।

 

ବୃନ୍ଦାବନ ସ୍ଥିତ              ମୂର୍ତ୍ତିଙ୍କ ମଧ୍ୟରେ

ଏ ଗୋପାଳ ମନୋରମ;

ପ୍ରକୃତ ପଦାର୍ଥ              ସହିତ କୃତ୍ରିମ

ପଦାର୍ଥ ହୁଏ କି ସମ ?

 

କୃଷ୍ଣ- କ୍ରୀଡ଼ାସ୍ଥଳୀ              ଥିଲା ପୁଣି ଏହି

ଏ ମଣି ବିଗ୍ରହ ମୂର୍ତ୍ତି;

ବିଜେ କରିବାରୁ              ଗତା-ଗତ ହେଲେ

ସେଠାକୁ ବହୁତ ଯାତ୍ରୀ ।

 

ତୀର୍ଥ ଦର୍ଶନାର୍ଥ              ଦ୍ଵିଜଣ ବ୍ରାହ୍ମଣ

ତହିଁ ହେଲେ ଉପସ୍ଥିତ;

ଜଣେ ଯୁବା ସୁସ୍ଥ-              କାୟ ଆନ ଜଣେ

ବୃଦ୍ଧ ପୁନଶ୍ଚ ପୀଡ଼ିତ ।

 

ବୃଦ୍ଧ ଜଣକ ତ              ସାଆନ୍ତ ବ୍ରାହ୍ମଣ

ଯୁବକ ଅଟେ ମାସ୍ତାନ;

ପ୍ରବାସ ହେତୁରୁ              ଦୁହିଙ୍କୁ ମଧ୍ୟରେ

ନ ରହିଲା ଭେଦଜ୍ଞାନ ।

 

ବାଧ୍ୟ କରାଇଲା              ବାର୍ଦ୍ଧକ୍ୟ ବୃଦ୍ଧଙ୍କୁ

ତେଜିଲେ ଜାତୀୟ ଟେକ;

ରୋଗ ସହଚର              ହୋଇ ମୋଡ଼ିଦେଲା

ସ୍ଵକୁଳ ମର୍ଯ୍ୟାଦା ବେକ ।

 

ବିବେକୀ ଯୁବକ              ବୃଦ୍ଧଙ୍କୁ ସେବକ

ହୋଇ କାଟୁଥାନ୍ତି କାଳ;

ଆଦେଶ ପ୍ରଦାନ              ପୂର୍ବରୁ ତୁଟାଇ

ଥାଆନ୍ତି ଜଞ୍ଜାଳ ଜାଳ ।

 

ଘଷି ଦେଉଥାନ୍ତି              ଚରଣ ଯୁଗଳ

ମାଜି ଦିଅନ୍ତି ବାସନ;

ତଇଳ ଲଗାଇ              ଗାଧୋଇ ଦିଅନ୍ତି

କୁଞ୍ଚି ଯୋଗାନ୍ତି ବସନ ।

 

ଟଙ୍କା ଦେଲେ ମଧ୍ୟ              ଏ ପ୍ରକାର ସେବା

ନ କରିବ ଜଣେ ଭୃତ୍ୟ;

ବିରକତ ହୋଇ-              ଥାନ୍ତେ କରିଥିଲେ

ଭ୍ରାତା, ପତ୍ନୀ, କନ୍ୟା, ପୁତ୍ର ।

 

ସେବାରେ ସନ୍ତୁଷ୍ଟ              ହୋଇ ବୃଦ୍ଧବିପ୍ର

ଯୁବାଙ୍କୁ ଦେଲେ ଏ ବର;

ବାହୁଡ଼ି ଦେଶକୁ              ଗଲେ ମୁଁ ତୁମ୍ଭଙ୍କୁ

କରିବି ମୋ କନ୍ୟା-ବର ।

 

ଯୁବା କହିଲେ ହେ              ବାବା ତହିଁ ପାଇଁ

ସେବା କରୁନାହିଁ ମୁଁ ତ;

ଧର୍ମ୍ମ ଅର୍ଜିବାକୁ              ଏ କର୍ମ୍ମ କରୁଛି

କହିଲି କଥା ପ୍ରକୃତ ।

 

ତୁମ୍ଭ ଯୋଗ୍ୟ ବନ୍ଧୁ              ଅଟନ୍ତି ବତ୍ସସ

ଭଟ୍ଟମିଶ୍ର ବାଜପେୟୀ;

ନୁହେଁ ମୁଁ କୁଳୀନ              ନୁହେଁ ଜ୍ଞାନବାନ

ରାଜି ନ ପଡ଼ିବେ କେହି ।

 

ଭୀଷ୍ମକ ନୃପତି              ଦୁହିତାର ପତି

କରିଥାନ୍ତେ ଶ୍ରୀକୃଷ୍ଣଙ୍କୁ;

ପୁତ୍ରଙ୍କ ବୋଲରେ              ସତ୍ୟ ଭଗ୍ନ କରି

ବରିଲେ ଶିଶୁପାଳଙ୍କୁ ।

 

ତେଡ଼େ ବଡ଼ ରାଜା              ସତ୍ୟଭ୍ରଷ୍ଟ ହେଲେ

ସୁତଙ୍କ ଅନିଚ୍ଛା ସତ୍ତ୍ଵେ;

ଉତ୍ତରିଲେ ବିପ୍ର              “ପିଣ୍ଡେ ପ୍ରାଣ ଥିଲେ

ଏହା କି ହୋଇବ ସତେ ?

 

“ପିତୃଦତ୍ତ କନ୍ୟା              ରାଜଦତ୍ତ ଭୂମି ”

କାହାର କି ଅଧିକାର;

ମୋ ଇଚ୍ଛା ଯାହାକୁ              ଦେବି ମୁଁ ତାହାକୁ

କି କରିବେ ପରିବାର ?

 

ବୃଦ୍ଧଙ୍କ ବଚନେ              କହିଲେ ଯୁବକ

“ସତେ ଯେବେ ଦେବ ଝିଅ ;

ଗୋପାଳଙ୍କ ଆଗେ              ସତ୍ୟ କରିଥାଅ

ସାକ୍ଷୀ ରହିଥାନ୍ତୁ ଦିଅଁ ।”

 

ପ୍ରଭୁଙ୍କ ଆଗରେ              କହିଲେ ସାଆନ୍ତ

“ତୁମ୍ଭେ ରହିଥାଅ ସାକ୍ଷୀ;

ଏହାଙ୍କୁ ନିଶ୍ଚୟ              ଦେବି ମୁଁ ଦୁହିତା

ନ ହେଲେ ମଧ୍ୟ ମୋ ଲାଖି”

 

ସତ୍ୟ କରି ଦୁହେଁ              ବାହୁଡ଼ିଲେ ତହୁଁ

ଗଲେ ବାରାଣସୀ କ୍ଷେତ୍ରେ;

କାଶୀ ବିଶ୍ଵନାଥ              ସୁବର୍ଣ୍ଣ ଦେଉଳେ

ବିଜୟ ଦେଖିଲେ ନେତ୍ରେ ।

 

ପିଣ୍ଡଦାନ କଲେ              ପୂର୍ବ ପୁରୁଷଙ୍କୁ

ଗୟାରେ ପ୍ରବେଶ କରି ;

ମାଡ଼ି ବସିଛନ୍ତି              ଗୟା ଅସୁରକୁ

ବିଷ୍ଣୁ ଚାରିଭୁଜ ଧରି ।

 

ବୁଝିଲେ ତା ତଥ୍ୟ              ଗୟା ନାମେ ଥିଲା

ପୂର୍ବେ ପୂର୍ବଦେବ ବଡ଼ ;

ବହୁତ ମୁଲକ              ଜିଣି କରିଥିଲା

ସେହିଠାରେ ଏକ ଗଡ଼ ।

 

ନିଜେ ଦାନବାରି              ମାନବ ରୂପରେ

ତାହା ସଙ୍ଗେ କଲେ ଯୁଦ୍ଧ;

ଚୂର୍ଣ୍ଣ ହୋଇଗଲା              ଅସୁର ଅଙ୍ଗରେ

ବାଜି ସକଳ ଆୟୁଧ ।

 

ବହୁତ ବରଷ              ହେଲା ଘର ରଣ

ଜିଣି ନ ପାରିଲେ କେହି;

ଉଭୟେ ଉଭୟ              ବଳକୁ ପ୍ରଶଂସି

ବର ହେଲେ ଦିଆ- ଦେଇ ।

 

ସତ୍ୟ କରାଇଲେ             କୌଣପକୁ ହରି

ହୁଅ ବିଶାଳ ପାଷାଣ ;

ଦଇତ କହିଲା            ମୋ ଶିର ଉପରେ

ଆପଣ ଦିଅ ଚରଣ ।

 

ଆମ୍ଭ ଦୁହିଁଙ୍କର            ମୂର୍ତ୍ତି ଏହି ସ୍ଥଳେ

ସଦା ଥିବ ବିରାଜିତ;

ମୋ ନାମାନୁସାରେ            ଏ ତୀର୍ଥର ନାମ

ଜଗତେ ହେଉ ବିଦିତ ।

 

ଗୟାଠାରୁ ଗୋଦା-            ବରୀ ପରିଯନ୍ତେ

ଦୈତ୍ୟ ରହିଲା ଆବୋରି;

ବିରଜା ମଣ୍ଡଳ            ନାଭି ଗୟା ହେଲା

ପାଦ ଗୟା ଗୋଦାବରୀ ।

 

ପ୍ରବେଶିଲେ ଦୁହେଁ            ପ୍ରୟାଗ ତୀର୍ଥରେ

ଯା ନାମ ଏଲାହାବାଦ;

ବହି ଯାଉଅଛି            ଗଙ୍ଗାନଦୀ ଯହି

କରି କୁଳୁ କୁଳୁ ନାଦ ।

 

ମିଶିଛି ତା ସଙ୍ଗେ            ଯମୁନା ସେଠାରେ

ଧଳା କଳା ଦିଶେ ପାଣି;

ଦିଶଇ ଯେସନ            ଉମାଙ୍ଗ ଶଙ୍କର

ଅବା ରାଧାକୃଷ୍ଣ ଠାଣି ।

 

ନୀରବର୍ତ୍ମେ ଯାଇଁ            ମଥୁରା ସହର-

ସୁଷମା କଲେ ଦର୍ଶନ;

ମାରିଥିଲେ ଯହିଁ            ଶ୍ରୀକୃଷ୍ଣ କଂସକୁ

ନ ଧରିଣ ସୁଦର୍ଶନ ।

 

ଚୌକିଦାର ପାଗ             ବାପ ମସ୍ତକରେ

ରାଜଶାଢ଼ଢ଼ି ପୁତ୍ରମଥା;

“ ବାପଠାରୁ ପୁଅ            କଂସ ରାଜା ବଡ଼”

ବୋଲି ତହିଁ ଅଛି କଥା ।

 

ତ୍ରିବେଣୀ ଘାଟରେ            ବୁଡ଼ ସାରି ଗଲେ

ବଦ୍ରିନାରାୟଣ ଦେଖି;

ଯେତେ କଷ୍ଟ ମିଳେ            ସେଠାକୁ ଯିବାକୁ

କିଏ ତା ପାରିବ ଲେଖି ?

 

-‘ଭାଇ ଭଗାରି’ ଏ             ପଦ ସୃଷ୍ଟି ହେଲା

ଯେଉଁଠାରେ ଭାରତରେ;

ଦର୍ଶନ କଲେ ସେ            କୁରୁକ୍ଷେତ୍ର ଯାଇଁ

ଶୁଣୁଥିଲେ ଭାରତରେ ।

 

ଜରାସନ୍ଧ ଭୟେ            କୃଷ୍ଣ ଲୁଚିଥିଲେ

ଯାଇ ଯେଉଁ ଦ୍ୱାରକାରେ;

ଚଢ଼ାଇଲେ ଶଙ୍ଖ            ଚକ୍ର ଗଦା ପଦ୍ମ

ଛାପାକୁ ବେନି ବାହାରେ ।

 

ପ୍ରଭାସ ପୁଷ୍କର            କେଦାର ଈଶ୍ୱର

ହରିଦ୍ୱାରେ କରି ସ୍ନାନ;

କୋଣାର୍କ ଏକାମ୍ର            କାନନ ଶ୍ରୀ କ୍ଷେତ୍ର

ତୀର୍ଥ କଲେ ଦରଶନ ।

 

ନିଜ ରାଇଜକୁ            ବାହୁଡ଼ି ବ୍ରାହ୍ମଣ

ପୁତ୍ର ବନିତାଙ୍କ ଆଗେ;

କନ୍ୟାବିଭା କଥା            ପ୍ରସ୍ତାବ କରନ୍ତେ

ସମସ୍ତେ କହିଲେ ରାଗେ ।

 

“ ଆମ୍ଭର ସମାନ-             ସ୍କନ୍ଧ ସେ ନୁହଇ

ଜାତିରେ ପଣ୍ଡା ବ୍ରାହ୍ମଣ;

ଘର ଚାରି କଣ            ଅଣ୍ଡାଳିଲେ ମିଳି-

ବକି ଗଣ୍ଡାକର ଧନ ?”

 

ସାହୀ ପଡ଼ଶୁଣି            ଶୁଣି ତା କହିଲେ

“ବାତୁଳ ହେଲ ଗୋସାଈଁ;

ନିତାନ୍ତ ଅର୍କ୍ଷିତ            ଅଜାତିଆଟାକୁ

କରିବ ଆପଣା ଜ୍ୱାଇଁ ।

 

ବର ନ ମିଳିଲା            ପରି ଏ ଭସାଇ

ଦେବ ତାର ପରା ଝିଅ;

ଦେଖିଛ କି ? କେବେ      ପରଷି ଥିଲା କେ

ମାଣ୍ଡିଆ ଯାଉରେ ଘିଅ ।

 

ହାତୀଦାନ୍ତ ସଙ୍ଗେ            ବାଉଁଶ କଣିକି

ସମାନ କରୁଛି ବୁଢ଼ା;

ଏହା ନ କରିବ       ହୋଇବ ପଛକେ

ତଣ୍ଟି ଚିପି ଆଣ୍ଠୁକୁଢ଼ା ।

 

ଏ କଥା ଶୁଣିଲେ            ବନ୍ଧୁବାନ୍ଧବ କି

ଦୁଆରେ ହୋଇବେ ଛିଡ଼ା;

ଜାତିରୁ ଗୋତ୍ରରୁ            ସବୁଥିରୁ ଯିବ

ନ ପଡ଼ିବ ପାଣି ପୀଢ଼ା ।

 

ପାଞ୍ଚ ତୁଣ୍ଡରେ ତ            ଛେଳି କୁକୁର ହୋ

ସାତବାକ୍ୟେ ଭୁଲେ ସତୀ;

ବାଧ୍ୟ ହୋଇ ବୃଦ୍ଧ            ଭ୍ରୁକ୍ଷେପ ନ କଲେ

ଅଙ୍ଗୀକୃତ ବାକ୍ୟ ପ୍ରତି ।

 

ଯୁବକ ବିଚରା            କନ୍ୟା ମାଗିବାରୁ

ତାହା ସଙ୍ଗେ କଲେ କଳି;

ଭଲ ଦଶା ଯେବେ            ଭାଗ୍ୟେ ଅଛି ତୋର

ବାଟ ଖୋଜି ଯାଅ ଚଳି ।

 

ମିଛ କହି ଠକି            ନ ପାରିବୁ ମୋତେ

ପିଣ୍ଡେ ପ୍ରାଣ ଥିବାଯାଏ;

ମୋ କନ୍ୟାକୁ ତୁହି            ବିଭା ହେବୁ; “ବାଘ-

ଛାଲ କି କୁକୁର ଖାଏ ?”

 

ମୋ ଝିଅକୁ ବର            ମିଳୁ ନଥିଲା କି

ତୋତେ ଦେଉଥିଲି ଯାଚି;

ବଡ଼ ପସନ୍ଦରେ            କଥାଟାଏ ଆସି

ସଭାରେ କହୁଛୁ ବାଛି ।

 

କେଉଁ ଗୁଣ ଦେଖି            କହିଥିଲି ତୋତେ

କନ୍ୟାକୁ କରିବି ବିଭା;

କେଶରୀ ସମାଜେ            ବସିବାକୁ ଇଚ୍ଛା

କରୁଅଛୁ ହୋଇ ଶିବା ” ।

 

ଗାଆଁ ଲୋକେ ଶୁଣି            କହିଲେ ଏ କଥା

“ଦିଶୁ ତ ନାହିଁ ପସନ୍ଦ;

କନ୍ୟାଲୋଭେ ପଡ଼ି            ଅନର୍ଥ କରୁଛୁ

ତୋହର ପ୍ରକୃତି ମନ୍ଦ ।”

 

କହିଲା ଯୁବକ            “ସେବାରେ ସନ୍ତୁଷ୍ଟ

ହୋଇ ଯାଚିଥିଲେ ନିଜେ;

ସାକ୍ଷୀ ରଖିଅଛି            ମୁଁ ଗୋପୀନାଥଙ୍କୁ

ଏଠାକୁ କରିବେ ବିଜେ ।

 

ସାନ ହେଉ ବଡ଼            ହେଉ ମୁଁ ଯଦ୍ୟପି

ହୋଇଥିବି ବିପ୍ରଛୁଆ;

ଦେଖିବି କିପରି            ଏ ବୁଢ଼ା ସାଆନ୍ତେ

ନ ହୋଇ ଯିବେ ମିଛୁଆ ।”

 

ବୃଦ୍ଧ ତାଙ୍କ ପୁତ୍ର            କହିଲେ “ଯଦ୍ୟପି

ସାକ୍ଷୀ ଦେବେ ଆସି ଦିଅଁ;

ବାପର ସୁପୁତ୍ର            ହୋଇ ନା କଲାମେ

ପ୍ରଦାନ କରିବୁଁ ଝିଅ ” ।

 

ଚଳିଲେ ମାସ୍ତାନ            ମିଳି ବୃନ୍ଦାବନ

ହରିଙ୍କ ଆସ୍ଥାନ ତଳେ;

ଗୁହାରି କଲେ ସେ             ଗୁହାରି ଶ୍ରୀରାସ-

ବିହାରୀଙ୍କ ଚରଣରେ ।

 

“ତୁମ୍ଭ ଆଗେ ସତ୍ୟ            କରି ଗଲେ ବିପ୍ର

ଦେବେ ବୋଲି ଦୁହିତାକୁ;

ଗ୍ରାମକୁ ଯାଇ ସେ             ମାରି ଗୋଡ଼ାଉଛି

ମାଗିବାରୁ ମୁହିଁ ତାକୁ ।

 

ବିପତ୍ତି ବେଳର            କଥା ତ ସମ୍ପତ୍ତି

ବେଳକୁ ରହିଲା ନାହିଁ;

ଶପଥ ହୋଇଛି            ତୁମ୍ଭ ସାକ୍ଷାତରେ

ସାକ୍ଷୀ ଦେବ ମୋହପାଇଁ ।

 

କୃପାରେ କୃପଣ            ନ ହୋଇ ଆପଣ

ରଖିବେ ମୋହର ପଣ;

କନ୍ୟା ପାଇଁ ଅଳି            କରୁ ନାହିଁ କଥା

ଜାଣି ଯିବେ ପାଞ୍ଚଜଣ ।”

 

ଗୋପାଳ କହିଲେ             “ଯାଅ ତୁମ୍ଭେ ଏବେ

ଗ୍ରାମରେ କରିବ ନ୍ୟାୟ;

ତେତିକି ବେଳରେ             ଚତୁର୍ଭୁଜ ହୋଇ

କହିବି ସବୁ ବିଷୟ ।”

 

ବ୍ରାହ୍ମଣ କହିଲେ               “ଏ ପ୍ରକାର କଲେ

ଲୋକେ ନ ଯିବେ ପ୍ରତ୍ୟୟ;

ଦୟା କଲେ ଯେବେ             ପରିଶ୍ରମ କରି

ନିଜେ କରନ୍ତୁ ବିଜୟ । ’’

 

ଗୋପାଳ କହିଲେ             “ପ୍ରତିମା ଜଙ୍ଗମ

ହେବାର ପାଏ କି ମନ;”

ବ୍ରାହ୍ମଣ କହିଲେ               “କଥା ଯେ କହଇ

ସେ କି ନ କରେ ଗମନ?

 

ତୁମ୍ଭେ ତ ସମସ୍ତ            ଘଟଣା ଜାଣିଛ

ଯେବେ ନ ହୋଇବ ଗୁହା;

ଧର୍ମ ସଂସ୍ଥାପନ            ନିମିତ୍ତ ସମ୍ଭୁତ

କିପାଁ କହିଅଛ ଏହା ।”

 

ଗୋପାଳ କହିଲେ            “ଆଗେ ତୁମ୍ଭେ ଚାଲ

ତୁମ୍ଭେ ପଛେ ପଛେ ଯିବି;

ଯେଉଁଠାରେ ଫେରି            ପଛକୁ ଚାହିଁବ

ସେହି ସ୍ଥାନରେ ରହିବି ।

 

ନୂପୁର ଶବଦ            ଶୁଣି ମୋର ଗତି

କରୁଥିବଟି ନିର୍ଦେଶ;

ନିୟମ ଲଙ୍ଘନ ନ            କଲେ ଅବଶ୍ୟ

ସିଦ୍ଧ ହୋଇବ ଉଦ୍ଦେଶ୍ୟ ।’’

 

ଅଙ୍ଗୀକାର କରି             ଗୋପାଳଙ୍କ ସଙ୍ଗେ

ସଙ୍ଗୀ ହୋଇ ଗଲେ ଦ୍ୱିଜ;

ବାଟରେ ବହୁତ            ଦିନ କଟି ଯାଇ

ନିକଟ ହେଲା ରାଇଜ ।

 

ମିଳିବ ଏଥର             ହାତର ଶେଉଳ

ପଶି ଯାଇଥିଲା ଗାତେ;

ଏହା ଭାବି ବିପ୍ର            ବୁକୁ କୁଣ୍ଢେ ମୋଟ

ଗୋଡ଼ ପଡ଼େ ପାଞ୍ଚ ହାତେ ।

 

ସଂଶୟ ବିନାଶ             ସକାଶ ବ୍ରାହ୍ମଣ

ପଛକୁ ଦେଲେ ଅନାଇ;

ସତକୁ ସତ ସେ               ଦେଖିଲା ବେଳକୁ

ବିଜେ ବ୍ରାହ୍ମାଣ୍ଡ ଗୋସାଇଁ ।

 

କାବା ହୋଇ ବିପ୍ର            ଠିଆ ହୋଇ ଗଲେ

ଦେହେ ନାହିଁ ସତେ ଜୀବ;

ଲେଡ଼ି ଗୁଡ଼ ପୁଣି            କହୁଣୀକି ଗଲେ

ଆଉ କି ପାଇବ ଜିଭ ।

 

ଠାକୁର କହିଲେ            ବ୍ୟାକୁଳ ନ ହୁଅ

ଲୋକଙ୍କୁ ଆଣ ଯା ଡାକି;

ମୋ ଆଗରେ ସତ୍ୟ            କରିଛି ବ୍ରାହ୍ମଣ

କିପରି ହେଉଛି ଫାଙ୍କି ।”

 

ଆଦେଶ ପାଇ ସେ            ସ୍ୱଦେଶକୁ ଆସି

ଲୋକକୁ ଦେଲା ସନ୍ଦେଶ;

ସ୍ୱଦେହରେ ପ୍ରଭୁ            ଗାଆଁମୁଣ୍ଡେ ବିଜେ

ସନ୍ଦେହ ନ କର ଲେଶ ।

 

ବ୍ରାହ୍ମଣର ବାଣୀ            ଶୁଣି ଜନଶ୍ରେଣୀ

ହାଣିଲା ପାଣି ପରାଏ;

କାମଦାମ ଛାଡ଼ି            ଚାଲିଗଲେ ଘରେ

ରହିଲେ ନାହିଁ ପିଲାଏ ।

 

କହିଲେ ଗୋପାଳ            ସତ୍ୟ କଲେ ବୃଦ୍ଧ

ଏହାଙ୍କୁ ଦେବେ ଦୁହିତା;

ମାନୁ ନାହାନ୍ତି ସେ            କିମ୍ପା ଏତେବେଳେ

ନିଜେ ଶୁଣିଛି ମୁହିଁ ତା ” ।

 

ପାଞ୍ଚଟଙ୍କା ମଧ୍ୟେ             କାଇଲି ହେବାରୁ

ବୃଦ୍ଧ ମୁଖ ଗଲା ସୁଖି;

ଦେଖି ଶ୍ରୀକୃଷ୍ଣଙ୍କ            ପ୍ରକୃତ ମୂର୍ତ୍ତିକି

ଗାଅଁଲୋକେ ହେଲେ ସୁଖୀ ।

 

ନିଷ୍ଠାପର ଭକ୍ତ            ଦେଖି ଅନୁରକ୍ତ

ସାଆନ୍ତ ପଣ୍ଡାଙ୍କ ଠାରେ;

ଯୋଗଲଗ୍ନ ବୁଝି            କନ୍ୟାକୁ ବିବାହ

ଦେଲେ ସେ ମହାସମ୍ଭାରେ ।

 

ଗୋପାଳ କହିଲେ            “ ଭକ୍ତ ବୋଲି ତୁମ୍ଭେ

ଆସିଲି ମୁଁ ଏତେ ମାର୍ଗ;

ସେବାରେ ତୁମ୍ଭର            ସନ୍ତୁଷ୍ଟ ହେଲି ମୁଁ

କି ବର ମାଗୁଛ ମାଗ

 

କ୍ଷିପ୍ର ହୋଇ ବିପ୍ର             କହିଲେ “ କରୁଣା

କଲ ଯେବେ ଦୟାନିଧି;

ଏହିଠାରେ ବିଜେ            ହୋଇଥାନ୍ତୁ ସଦା

ରହିଯାଉ ଆମ୍ଭ ସିଦ୍ଧି ।

 

ଗାଳି ସହି ତୁମ୍ଭେ            ଗରିମା ନ ସହ

ଅଟ ଭକତବତ୍ସଳ;

ତବ ଭକ୍ତ ଅପ-            ମାନ ପ୍ରାପ୍ତହେଲେ

ତୁମ୍ଭଙ୍କୁ ଲାଗଇ ଛଳ ।

 

ନ ଲୋଡ଼ ତ ତୁମ୍ଭେ            ଧନ ଜ୍ଞାନ କୁଳ

କେବଳ ଲୋଡ଼ ଭକତି;

ନମସ୍କାର କର            ଯୁଧିଷ୍ଠିରେ, ଯାଅ

ନାହିଁ ଦୁର୍ଯ୍ୟୋଧନ କତି ।

 

ଅଶ୍ରଦ୍ଧାରେ ଦେଲେ             ଖଣ୍ଡଖିରି ଅନ୍ନ

ନ ପଡ଼େ ତହିଁ ଈକ୍ଷଣ;

ସ୍ନେହରେ ବିଦୁର            ଶାଗ ଭଜା ଦେଲେ

ତାହାକୁ କଲେ ଭକ୍ଷଣ ।

 

ତୁମ୍ଭ ମିତ୍ର ଥିଲେ             ସୁଦାମା ବ୍ରାହ୍ମଣ

ନଥିଲା କିଛି ସମ୍ପତ୍ତି;

ଦାନା କନା ବିନା            ମହାଦୁଃଖେ କାଳ

କଟାଉ ଥିଲେ ଦମ୍ପତ୍ତି ?”

 

ଗୃହସ୍ଥଙ୍କୁ ଦିନେ            ବନିତା କହିଲେ

“ସହି ନ ପାରିବା ବ୍ୟଥା;

ବନ୍ଧୁତଳେ ବାସ            ବନ୍ଧତଳେ ଚାଷ”

ପୂର୍ବରୁ ଅଛି ଏ କଥା ।

 

ମିତଙ୍କ ପାଖକୁ            ଯାଅ କିଛି ବିତ୍ତ

ଦେବେ ଅବା ଶିରୀପତି;

“ଖାଲିରେ କିପରି            ସଙ୍ଖୋଳି ଯିବି ମୁଁ ”

ଜାୟାକୁ କହିଲେ ପତି ।

 

କାଲି କୁଟା କୁଟି            ଆଣିଛି ନାଥ ହେ

ଆତପ ତଣ୍ଡୁଳ କଣି;

ସେ ପୁଞ୍ଜିକ ‌ଘେନି            ପ୍ରଭୁଙ୍କ ପାଖକୁ

ଯାଅ ତୁମ୍ଭେ ଏହିକ୍ଷଣି ।’

 

କେ ଜାଣେ ? କେତେ ତା      ସିଆଁ ହୋଇଅଛି

ପିନ୍ଧି କରିଆ ଖଣ୍ଡିଏ;

ଚଳିଲେ ସୁଦାମା            ଚିରା କନାଟିରେ

ବାନ୍ଧି ଖୁଦରୁ ଗଣ୍ଡିଏ ।

 

ସୁଦାମାଙ୍କ ପାଦ            ପ୍ରକ୍ଷାଳନ କଲ

ନିଜେ ଧରି ବାସ ପାଣି;

ବିଶେଷ ଆଦରେ            ପଲଙ୍କ ଉପରେ

ବସାଇଲ ଧରି ପାଣି ।

 

ଦ୍ୱିଜ ଲାଜ କରି            ସେ ଖୁଦ ପୁଞ୍ଜିକ

କାଖରୁ କାଢ଼ନ୍ତି ନାହିଁ;

ଆପଣ ସେ କଥା            ଜାଣି ପାରି ତହୁଁ

ତିନି ମୁଠା ଦେଲ ଖାଇ ।

 

ଚତୁର୍ଥ ମୁଠାକ            ଖାଇଲା ବେଳକୁ

ରୁକ୍ମିଣୀ ଧଇଲେ ହାତ;

ଯାହା ତ ହେବାର            ହୋଇଗଲା ଆଉ

ଭକ୍ଷଣ ନ କର ନାଥ ।

 

ବିଦାୟ ଲଭିଣ            ସୁଦାମା ଚଳିଲେ

ବାଟେ ବିଚାରିଲେ ମନେ;

ଧନ ଆଶାରେ ମୁଁ            ଆସିଥିଲି ମିତ୍ର

ତୋଷିଲେ ମାତ୍ର ବଚନେ ।

 

ମୁଖ ନ ଫିଟିଲେ            ଦୁଃଖ ତ ନ ଯାଏ

ନ ମାଗିଲି କରି ଲାଜ;

ଦୀପ ତ ନିର୍ବାଣ             ପ୍ରାପ୍ତ ହୋଇଲାଣି

ତୈଳଦାନେ କେଉଁ କାର୍ଯ୍ୟ ।

 

ଭାଳି ଭାଳି ଚଳି             ଗଲେ ଦ୍ୱିଜବର

ମିଳିଲେ ଯାଇ ସଦନେ;

ଖାଲି ସ୍ଥାନ ଆଉ            କାହିଁ ନ ଦେଖିଲେ

ପୂର୍ଣ୍ଣ ହୋଇଅଛି ଧନେ ।

 

ମହିଳା କହିଲେ             ବହିଆଣି ମିତ

ଦେଇଗଲେ ସବୁ ବିତ୍ତ;

ଆଉ କେଉଁଆଡ଼େ            ବାହାରିଗଲ କି ?

ଶୁଣି ବିପ୍ର ଆଚମ୍ୱିତ ।

 

ଏହିପରି ଗୁଣ             ଅଟଇ ତୁମ୍ଭର

କହିଲେ ତ ନ ସରିବ;

ଆକାଶର ତାରା             ବରଷାର ଧାରା

ସଂଖ୍ୟା ବା କିଏ କରିବ ।

 

ଭାବୁକ ନିକଟ             ଅଭାବୁକ ଦୂର

ଅଟ ଆହେ ପୀତବାସ;

ଯାଚିଦେଲ ବର             ମୁଞ୍ଚି ବୃନ୍ଦାବନ

କାଞ୍ଚୀରାଜ୍ୟେ କର ବାସ ।

 

ହେଉ ବୋଲି କହି             ତହିଁ ଭାବଗ୍ରାହୀ

ରହିଲେ ତେଜି ସ୍ୱଧାମ;

ଯହିଁ ଶ୍ରୀନିବାସ             କରିବେ ନିବାସ

ବିଖ୍ୟାତ ହେବ ତା ନାମ ।

 

ସେ ଦେଶ ନରେଶ             ଶୁଣି ଏ ସନ୍ଦେଶ

ତୋଳିଦେଲେ ଦେବାଳୟ;

ଖଞ୍ଜିଦେଲେ ଭୋଗ-            ପାଇଁ ଜମି ଭୂମି

ସେବା କଲେ ବିପ୍ରଦ୍ୱୟ ।

 

ଏହିରୂପ କେତେ             କାଳ ବହିଗଲା

ତହିଁ ଥାନ୍ତି ଲକ୍ଷ୍ମୀସାଈଁ;

ଆମ ରାଇଜକୁ             କିପରି ଆସିଲେ

କହିବା ତାହା ବୁଝାଇ ।

 

ଓଡ଼ିଶାରେ ଥିଲେ             ଏକ ନରପତି

ନାମ ଶ୍ରୀ ପୁରୁଷୋତ୍ତମ;

ଲକ୍ଷେ ରାଜନରେ            ମଉଡ଼ମଣି ସେ

ଧାମ ଶ୍ରୀ ପୁରୁଷୋତ୍ତମ ।

 

ମହା ପୁଣ୍ୟବନ୍ତ            କି ବର୍ଣ୍ଣିବି ଗୁଣ

ଶକ୍ତି ଭକ୍ତି ଆଚରଣ;

ଯାହାଙ୍କ ନିମନ୍ତେ            ନିଜେ ଜଗନ୍ନାଥେ

କରିଥିଲେ ଯାଇଁ ରଣ ।

 

କାଞ୍ଚୀରାଜାଙ୍କର             ପଦ୍ମାବତୀ ନାମେ

ଥିଲେ ପରମ ସୁନ୍ଦରୀ;

ପାଞ୍ଚଟା ପୁଅରେ             ଗୋଟିଏ ଝିଅ ସେ

ଅଲିଅଳ ସୁକୁମାରୀ ।

 

ନୋହି ବିବାହିତ             ଥିବାରୁ ଦୁହିତା

ଚିନ୍ତାକରି ନୃପବର;

ନାନା ରାଇଜକୁ             ପଠାଇ ଦୂତକୁ

ଖୋଜୁଥିଲେ ଦିବ୍ୟ ବର ।

 

ଓଡ଼ିଶାରାଜାଙ୍କ             ଚର ଯାଇଁ କାଞ୍ଚୀ

ରାଜାଙ୍କୁ କଲା ଗୋଚର ;

ଆମ ଦେଶ ଗଜ-            ପତିଙ୍କି ଶ୍ରୀଛାମୁ

କନ୍ୟାଟିକୁ ଦାନ କର ।

 

କହିଲେ ନରେଶ             ଚାଣ୍ଡାଳର କାର୍ଯ୍ୟ

କରେ ସେ ଗୁଣ୍ଡଚା ଯାତେ;

ଜାଣୁ ଜାଣୁ କେହ୍ନେ            ଏ ପରା ଝିଅକୁ

ଦେବି ଅକୁଳିଆ ହାତେ ।

 

ଦୂତ ଶୁଣି ଦ୍ରୁତ             ଗତିରେ ଆସିଲା

ଶ୍ରୀଛାମୁରେ କଲା ଜଣା;

ଅପମାନ ଶୁଝି-            ବାକୁ ନରପତି

ସଜ କରିଗଲେ ଠଣା ।

 

ସାହା ହୋଇଛନ୍ତି             ଯାକୁ ଚଉବାହା

ସେହି କି କାହାକୁ ଡରେ;

ମହା କୋଳାହଳ            କରି ସୈନ୍ୟବଳ

ପଶି‌ଲେ ଯାଇଁ ଗଡ଼ରେ ।

 

ହାରିବାରୁ ଯୁଦ୍ଧେ            କାଞ୍ଚୀ ନରପତି

ବେକରେ ପକାଇ ବାସ;

ଝିଅକୁ ଦିଅଁଙ୍କୁ            ଆଣି ଉଭୟଙ୍କୁ

ଦେଲେ ଗଜପତି ପାଶ ।

 

ଟେକାଇ ଛତିକି             ଫୁଲାଇ ଛାତିକି

ବାହୁଡ଼ିଲେ ନରପାଳ;

କଟକ ସହରେ             ଦେଉଳ ତୋଳାଇ

ରଖିଲେ ସାକ୍ଷୀଗୋପାଳ

 

ଆଣିଥିଲେ ପୁଣି             ଗଣେଶମୂର୍ତ୍ତିଙ୍କୁ

ପୁରୀ ବଡ଼ ଦେଉଳରେ-

ରଖି ଯାଇଛନ୍ତି             ପଶ୍ଚିମ ପାର୍ଶ୍ୱରେ

ଜଗନ୍ନାଥଙ୍କ ପଛରେ ।

 

ଆଜକୁ ଚାରିଶ             ବରଷ ତଳର

କଥା ମୁଁ ଯାଉଛି ଲେଖି;

ନିଜେ ଚଇତନ୍ୟ             ନିତ୍ୟାନନ୍ଦ ଆସି

ଠାକୁରଙ୍କୁ ଗଲେ ଦେଖି ।

 

ଏ ପୁରୀ ଜିଲ୍ଲାରେ            କେତେକ ଗ୍ରାମରେ

ଦେଉଳ ପଡ଼ିଛି ଖାଲି ।

ଗାଆଁ ଲୋକମାନେ             କହନ୍ତି ଗୋପାଳ

ଥିଲେ ଯାଇଛନ୍ତି ଚାଲି ।

 

ପସନ୍ଦକୁ ଦିଶୁ             ନାହିଁ ସେ ପ୍ରବାଦ

ନାହିଁ ତାର ଇତିହାସ;

ସେକଥା ଗୁଡ଼ାକ            ଲେଖିଲେ ପାଠକେ

କରିବେଟି ଉପହାସ ।

 

ପାଠ କହେ ବାତ୍            ଝୁଟା ହେଉ ପଛେ

ପସନ୍ଦ ତହିଁରେ ଥିବ;

ମନକୁ ମାନିବା             ଭଳି ହୋଇଥିଲେ

ଦାଣ୍ଡେ ପ୍ରକାଶ କରିବ ।

 

ମୋଗଲମାନଙ୍କ            ହସ୍ତଗତ ଯହୁଁ

ହେଲା ଏ ଓଡ଼ିଶା ଦେଶ;

କଟକରେ ଆଉ             ରାଜତ୍ୱ ନକଲେ

ଆମ୍ଭର ପୁରୀ ନରେଶ ।

 

କଟକରୁ ଆଣି            ସାକ୍ଷୀଗୋପାଳଙ୍କୁ

ପୁରୀରେ ଦେଲେ ରଖାଇ;

ଜଗନ୍ନାଥଙ୍କର             ଖଜା ପିଠା ସବୁ

ବଳାତ୍କାରେ ଗଲେ ଖାଇ ।

 

ଛେନା ମାଣ୍ଡୁଆ            ଚଢ଼େଇଲଦା ଲକ୍ଷ୍ମୀ-

ବିଳାସ ଆରିଶା ଗଜା;

ମଗଜ ଲଡ଼ୁ             ଖଇରଚୂଳ ଝିଲ୍ଲୀ

ତାଡ଼ିଆ ନଡ଼ିଆ ଖଜା ।

 

କାକରା ମରିଚ             ଲଡ଼ୁ ମନୋହର

ମାଠପୁଳି ସରପୁଳି;

ବସନ୍ତ ଅମାଲୁ             ନାଡ଼ି ମଣ୍ଡା କେଳି

ତ୍ରିପୁରୀ କଅଁଳ ପୁଳି ।

 

ଶ୍ରୀ କର୍ପୂରକେଳି            ହଂସକେଳି ପାରି-

ଜାତିକ ବଲ୍ଲଭ କୋରା;

ଚୋରାଇ ଲୁଚାଇ            ଅଧେ ଖାଇ ଗଲେ

ଗୋପାଳ ବଲ୍ଲଭ ତୋରା ।

 

ଗୋପୀଙ୍କ ପାଲଟା             ବସନ ହରି ଯେ

ବାନ୍ଧିଥିଲେ ପାଦପରେ;

ଦୁଧ ଦହି ସର             ଲହୁଣୀ ଖାଇଲେ

ପଶି ସମସ୍ତଙ୍କ ଘରେ ।

 

ଶ୍ରୀମତୀଙ୍କ ମତି             ଚୋରାଇ ଥିଲେ ଯେ

ଶ୍ରୀକରେ ମୁରଲୀ ଧରି;

ଉଣ୍ଡି ଉଣ୍ଡି ଚଣ୍ଡୀ            ମନ୍ଦିରୁ କୁଣ୍ଡୀନ-

ଜେମାଙ୍କୁ ଆଣିଲେ ହରି ।

 

ଏପରି ଗୋପରେ            ମାନବ ରୂପରେ

କରିଥିଲେ ଚୋରିବୃତ୍ତି;

ଛମାସରେ ବେଦ             ପାସୋର ବୋଲି ତା

କଲେ ସେ ପୁନରାବୃତ୍ତି ।

 

ଷାଠିଏ ପଉଟୀ             ଭୋଗ ମଧ୍ୟୁ ଲୁଟି

ହେବାରୁ ହେଲା ତା ତ୍ରୁଟି;

କଣ୍ଟି ଊଣା କରି             ଖାଇଲେ ହାଡ଼ରୁ

ମାଂସ ନ ଯାଏ କି ତୁଟି ?

 

ମନୁଷ୍ୟଙ୍କ ପରି             ଦିଅଁଙ୍କ ଭିତରେ

ଲାଗିଲା ବାଡ଼ିଆ ବାଡ଼ି;

ହାକିମ ସ୍ୱରୂପ             ମୋକଦ୍ଦମା ବୁଝି

କାହାକୁ କେ ଦେବ କାଢ଼ି ।

 

ଦିଅଙ୍କ ମହଲେ             ନାହାନ୍ତି ପୁଲିସ

କରିବେ କଥା ସାବୁତ;

ତିନିଶ ଅଣାଶୀ             ଦଫାରେ କଏଦ

ଦେବେ ଡିପୋଟି ବାବୁ ତ ।

 

ନାହାନ୍ତି ଓକିଲ             ବାଆଁ ହାତେ ଟଙ୍କା

ଦେଖି ପାକଟେ ପୂରାଇ;

ବାଆଁ ଡାହାଣରୁ             ଗୁହାଙ୍କୁ ବୁଲାଇ

ଯୁକ୍ତିରେ ଦେବେ ଭୁଲାଇ ।

 

ଭୂଇଁମଳ କୋଠ             କରଣ ନାହାନ୍ତି

ଭାଗବତ ଘରେ ନ୍ୟାୟ;

କଲେ ଗୁଣାଗାରି            ପାଞ୍ଚଟଙ୍କା ଗାଆଁ

କୋଠ ଫଣ୍ଡେ ହେବ ଥୟ ।

 

ସମସ୍ତଙ୍କ କଥା             ବୁଝନ୍ତି ଯେ ବସି

କେ କରିବ ତାଙ୍କ ନ୍ୟାୟ;

ବାଡ଼ ହୋଇ ଯେବେ             ବେଉସା ଖାଇବ

ତହିଁକି କେଉଁ ଉପାୟ ।

 

ଭକ୍ତ ଠାରୁ ଏକା             ଗାଳି ମାଡ଼ ଖାଇ

ସହନ୍ତି ବ୍ରହ୍ମାଣ୍ଡନାଥ;

କହିଛି ଆଗରୁ             ଶ୍ରୀବତ୍ସ ବ୍ରାହ୍ମଣ

କରିଥିଲେ ପଦାଘାତ ।

 

ଭକ୍ତ ଦତ୍ତ ଖାଦ୍ୟ            ଖାଆନ୍ତି ଭକ୍ତର

କଥା ମାନନ୍ତି ନିଶ୍ଚୟ;

ଶୁଣିଅଛ ସର୍ବେ            ମହାଭାରତରେ

ଯୁଧିଷ୍ଠିରଙ୍କ ବିଷୟ ।

 

ବାବା ବ୍ରହ୍ମଚାରୀ             ବିଚାରି ବିଚାରି

ପୁରୀଠୁଁ ପାଞ୍ଚ କ୍ରୋଶରେ;

ସାକ୍ଷୀ ଗୋପାଳଙ୍କୁ             ରଖିଦେଲେ ଆଣି

ରମ୍ୟ ବକୁଳ ବନରେ ।

 

ବାଞ୍ଛାକଲେ ବାବା             ଅନ୍ନ ମହାରଦ

ତହିଁ ଚଳାଇବା ପାଇଁ

ପୁରୀ ପରି ଜାତି-            ଭେଦ ନ ମାନିଣ

ଏକାପତ୍ରେ ଯିବେ ଖାଇ ।

 

ଶ୍ରୀ କ୍ଷେତ୍ରରୁ ନିଜେ             ବିଜେ କଲେ ରାଜା

ବହୁତ ମହନ୍ତ ସନ୍ଥ;

ଷୋଳ ଶାସନରୁ             ଜମିଲେ ବ୍ରାହ୍ମଣେ

ପଣ୍ଡିତେ ଫେଡ଼ିଲେ ଗ୍ରନ୍ଥ ।

 

ପୂର୍ଣ୍ଣ ହୋଇଗଲା             ଛତିଶ ପାଟକ

ଚାରିବର୍ଣ୍ଣେ ସଭା ସଦା;

ହାଣ୍ଡିକାଠ ପନି             ପରିବା ଚାଉଳ

ବହୁତ ହୋଇଲା ଗଦା ।

 

ଶ୍ରୀ ମହାପ୍ରସାଦ            ଚଳାଇବା ପାଇଁ

ସମସ୍ତେ କଲେ ବିଚାର;

ସଭାମଧ୍ୟେ ଉଭା             ହୋଇ ହାତଯୋଡ଼ି

କହିଲା ଜଣେ କୁମ୍ଭାର ।

 

ବିଜେ ହୋଇଛନ୍ତି             ନିଜେ ମଣିମାଏ

ସଆନ୍ତ ମହନ୍ତ ବୁଧ;

ମୁର୍ଖଟାଏ ମୁହିଁ             କହିବି କଥାଏ

ମୋଠାରେ ନ ହେବ କ୍ରୁଦ୍ଧ ।

 

ସଭା ନିର୍ଭା କରି             ଜଣାଇ ନାହିଁ ମୁଁ

ଦେଖି ନାହିଁ ଚାଟଶାଳୀ;

ଝାଟି ମାଟିରେ ମୋ             ଦିନ କଟି ଗଲା

ଦେହର ଭୂଷଣ କାଳି ।

 

ସାଆନ୍ତମାନଙ୍କ             ଚରଣ କୃପାରୁ

କହିବି ଗୋଟିଏ କଥା;

ଘେନ ବା ନ ଘେନ             ଦୋଷ କ୍ଷମା କରି

ରଖିବ ମୋର ଏ ମଥା ।

 

ଯାଗ ହୋଇ ଦିଅଁ             ବସିତ ନାହାନ୍ତି

ନୁହଇ ଲକ୍ଷ୍ମୀଙ୍କ ପାଗ;

ବୃନ୍ଦାବନ ଦିଅଁ            ଜଗନ୍ନାଥଙ୍କର

ନାହିଁ ତ ଏଥିରେ ଭାଗ ।

 

ଏଠାରେ କିପରି             ମହାରଦ ହେବ

ହେଉ ନାହିଁ ଏ ଉଚିତ;

କର ବା ନ କର             କହିଲି କଥାଏ

ଆପଣମାନଙ୍କ ଚିତ୍ତ ।

 

ଏବେ କାଳପରି             ସେ କାଳରେ ଆଉ

ହେଉ ନ ଥିଲା ନିଶାପ;

ଖାରକଥା କହୁ-            ଥିଲେ ବାଛି ବାଛି

ହେଉ ପଛେ ନିଜ ବାପ ।

 

ଏ କାଳର ନ୍ୟାୟ             ହାକିମୀ ସମ୍ପତ୍ତି

ଉପରେ ନିର୍ଭର କରେ;

ଗଣ୍ଡାକ ଯାହାର             ଅଛି ସେ ଗାଆଁର

ବାସିନ୍ଦାଙ୍କୁ ଥଣ୍ଡା କରେ ।

 

ଦଶ ପାଞ୍ଚ ଟଙ୍କା             ଭରଣେ ଛକୋଡ଼ି

ଧାରିଛନ୍ତି ଯା ଖାତକ;

ଟଙ୍କାଏ ମଶାଏ             ଦେଇ ଯେ ବନ୍ଧକ

ରଖିଚି ଡିହ ହାତକ ।

 

ବିଳିବିଳାଇଲେ             ବ୍ରହ୍ମା ବେଦ ପରି

ଅଟଇ ତାହାର କଥା;

ତେଢ଼ିବ ଯେ ତାର             ଦୁର୍ଯୋଗ ଘଟନା

ପିତ୍ତ ଚଢ଼ିଥିବ ମଥା ।

 

ରଣସିଂହ ବଳ-            ବନ୍ତାରାଙ୍କୁ ପଛେ

ଲେଖି ନ ଆସିବ ନାଆଁ;

ବାରମାଣ ଗୋର-            ଡ଼ାରୁ ନ ବାହାରି

ପାଆ କରୁଥିବେ ଗାଆଁ ।

 

ସେମାନଙ୍କୁ ହେବ             ସଭାକୁ ଡାକରା

ବସିବେ ପକାଇ ଚକା ;

ତାଙ୍କ କଥା ସବୁ             ସଳଖ ଅଟଇ

ହୋଇଥାଉ ପଛେ ବଙ୍କା ।

 

ଅନନ୍ତ ସାହୁର             ବାପର କ୍ଷମତା

ନାହିଁ କହିବାକୁ ପଦେ;

କହିଲେ ବୋଲିବେ             ମୂଲିଆ ଛାରଟା

ଆମ୍ଭ ନିଶାପରେ ବଦେ ।

 

ଛାଡ଼ ସେ କଥାକୁ             କହିବା ରହିବା-

ଠାରୁ ଚରିତ ବୁଝାଇ;

କୁମ୍ଭାର ହେଲେହେଁ            ଥିଲା ତାହା କଥା

ସବୁରି ମନକୁ ପାଇ ।

 

ମହାରଦ ରଦ             କରିବାର ହେଲା

ସର୍ବ ଦ୍ରବ୍ୟ ହେଲା ବୃଥା;

‘‘ସହସ୍ରେ ହାଣ୍ଡିକି             ଗୋଟିଏ ପାହାର’’

ସେହିଦିନୁ ଅଛି କଥା ।

 

କହିଛି ଆଗରୁ             କୋରା ମାରା କଲେ

ବୋଲି ବାବା ବ୍ରହ୍ମଚାରୀ;

ବଡ଼ ଦେଉଳରୁ             ସାକ୍ଷୀଗୋପାଳଙ୍କୁ

କରିଦେଲେ ବନଚାରୀ ।

 

କହିଲେ କି ହେବ             ଛାଡ଼ି ପାରିବ କି

ଯାହାର ସ୍ୱଭାବ ଯାହା;

ଲୁହାପଞ୍ଜରୀରେ            ମୂଷାକୁ ରଖିଲେ

ସେକି ନ କାଟିବ ତାହା ।

 

ପୁରୀର ଘଟନା             ଶୁଣିଲ ସକଳେ

ଏଠାର ଘଟନା ଶୁଣ;

ପ୍ରକୁତ କଥା ମୁଁ            ପ୍ରକାଶ କରୁଛି

ନ ଧରିବ ଦୋଷ ଗୁଣ ।

 

ଜନୈକ ପଣ୍ଡାର             ଲକ୍ଷ୍ମୀ ନାମ୍ନୀ ଥିଲା

ପରମା ସୁନ୍ଦରୀ ଝିଅ;

ଗୋଟିଏ ଚାଉଳେ            ଗଢ଼ା ହେଲା ପରି

ଦିଶୁଥିଲା ତାର ଦେହ ।

 

କୁନ୍ଦି ଦେଲା ପରି            ଗୋଡ଼ ହାତ ତାର

ବଦନ ଗୋଟି ବର୍ତ୍ତୁଳ;

ସୋରିଷ କୁସୁମ             ସରି ତା ଶରୀର

ତାହା ସଙ୍ଗେ ସେହି ତୁଳ ।

 

ପଣ୍ଡାଙ୍କ ସଦନ-             ଘନେ ସେ କନ୍ୟାଟି

ଅବା ସ୍ଥିରା ସୌଦାମିନୀ;

କିବା ପୌର୍ଣ୍ଣମାସୀ            ଶଶୀ ରୂପେ ଦୀପ୍ତି

କରେ ସେ ପୁର-ଯାମିନୀ ।

 

ପିଲାଟି ଦିନରୁ             ଖାଉ ନ ଥିଲା ସେ

ଆଇଁଷ ଉସୁନା ଭାତ;

କାହାର ପାଲଟା             ପିନ୍ଧୁ ନଥିଲା ସେ

ଅଇଁଠା ନ ଧରେ ହାତ ।

 

କାହାରି ପାଖରେ             ଶୋଉ ନଥିଲା ସେ

ନୁହେଁ କାହାସଙ୍ଗେ ମେଳ;

ଦିଅଁ ନ ଦେଖିଲେ             ପାଣି ଛୁଏ ନାହିଁ

ବୁଡ଼ିଯିବ ପଛେ ବେଳ ।

 

ଆକୃତି ସହିତ             ପ୍ରକୃତିର ମେଳ

ଖାଉଥିଲା ପୂର୍ଣ୍ଣରୂପେ;

ଭାବୁଥିଲା ଜନେ             ଦେବୀ ଆବିର୍ଭୁତ

ଅଥବା ମାନବୀରୂପେ ।

 

ଖୋଜି ‌ଖୋଜି ପଣ୍ଡା            ହତାଶ ହୋଇଲେ

ତାହାଲାଗି ବରଟିଏ;

ଜାଣିଶୁଣି ତାକୁ            ବିଭା ଦେବାପାଇଁ

ରାଜି ନ ପଡ଼ିଲେ କିଏ ।

 

ପଣ୍ଡା ପଣ୍ଡିଆଣୀ             ଭାବିଲେ ଏକଥା

ଆମ୍ଭଙ୍କୁ ତ ହେଲା ନିନ୍ଦା;

ସମ୍ପତ୍ତି ନ ଥାଉ             ଜାତିଥିଲେ ମଧ୍ୟ

ଝିଅକୁ କରିବା ବିଦା ।

 

ପାଠ କହେ ଝିଅ             ଘିଅ ସାଇତିଲେ

ଦୋଷ ‘ଭାତ ଦେଖି ଦିଅ’;

ଆମ୍ଭ କୁଳକୁ ଏ             ବଡ଼ ନିନ୍ଦା ହେଲା

ଏହା ଲେଖିଥିଲେ ଦିଅଁ ।

 

କେତକୀ ସୁମନ             ପରି ଏ ହୋଇଲା

ନ ଆସିଲେ ନର-ଅଳି;

ଚାହୁଁ ଚାହୁଁ ଏବେ             ବାର ବରଷରୁ

କନ୍ୟାକୁ ଗଲାଣି ବଳି

 

ଅଶ୍ୱପତିଙ୍କର             ସାବିତ୍ରୀ ନାମରେ

ଥିଲେ ଗୋଟିଏ ଦୁହିତା;

ଅଲୌକିକ ରୂପ             ଗୁଣ ତାହାଙ୍କର

ବଚନେ ନୁହେଁ କହି ତା ।

 

ଆମ୍ଭ ଲକ୍ଷ୍ମୀ ପରି             ବିଭା କରିବାକୁ

କେହି ରାଜି ହେଲେ ନାହିଁ;

ପିତାଙ୍କ ଆଦେଶ            ଗଲେ ନାନାଦେଶ

ବର ଖୋଜି ନିଜ ପାଇଁ ।

 

ରାଜାମାନଙ୍କର             ଝିଅବିଭା ପାଇଁ

ନାହିଁ କିଛି ହଇରାଣ;

ଜମା କରିଦେବେ             ଅନେକ ଦେଶରୁ

ବରି ବହୁ ନରରାଣ ।

 

ଯାହାକୁ ମାନିବ             କନ୍ୟାମନ ଦେବ

ତା ଗଳାରେ ଫୁଲମାଳ;

ନତୁବା ଗୋଟିଏ             ପଣ କରିଥିବେ

ଝିଅପାଇଁ ମହୀପାଳ ।

 

ବ୍ରାହ୍ମଣଙ୍କ ଠାରୁ             ଚାଣ୍ଡାଳ ପର୍ଯ୍ୟନ୍ତ

ରଖି ପାରିବ ଯେ ପଣ;

ତାହାକୁ ନିଶ୍ଚୟ             ଝିଅ ବିଭା ଦେବେ

ନ ଖୋଜିବେ କୁଳ ବର୍ଣ୍ଣ ।

 

ମହାବଳକୁ ତ            ଗୋରୁହତ୍ୟା ପାର

ପୂର୍ବରୁ ଅଛି ଏ କଥା;

କେତେ କଡ଼ାକରେ             ଗଣ୍ଡାଏ ଆମ୍ଭେ ଯେ

କରିବା ଗୋଟିଏ ପନ୍ଥା ।

 

ଝିଅର ଆକୃତି             ପ୍ରକୃତି ପଣ୍ଡାଙ୍କ

ମସ୍ତିଷ୍କ କଲା ବିକୃତ;

ଦିନ ରାତି ମୁଣ୍ଡୁ             ହାତ ନ ବାହାରେ

ଚାଲୁଥାନ୍ତି ମୁଖ ପୋତି ।

 

ଦଇବ ଦଉଡ଼ି             ମନୁଷ୍ୟ ତ ଗାଈ

ଯେଣେ ଟାଣେ ତେଣେ ଯାଏ;

ଏ କଥା ନ ଜାଣି             ମିଛରେ ମାନବ

ମାୟା-ଭବେ ଭ୍ରମୁଥାଏ ।

 

ତା ଉଦ୍ଦେଶ୍ୟ ବିହି-            ଉଦ୍ଦେଶ୍ୟ ସହିତ

କେବେ ନ ଖାଇବ ମେଳ;

କେତକ କଥାରୁ             ଜଣା ପଡ଼ିଯାଏ

ସେ ଦୁଇଟି ଜଳ ତେଲ ।

 

କେଉଁ ଉଦ୍ଦେଶ୍ୟେ ସେ             କି କାର୍ଯ୍ୟ କରନ୍ତି

ତାହା କି ଜାଣିବ ନର;

ଜାଣି ପାରୁଥିଲେ             ଚିନ୍ତାରେ କାହିଁକି

ହେଉଥାନ୍ତା ହରବର ।

 

ଯାହା କରନ୍ତି ସେ             ମଙ୍ଗଳ ନିମିତ୍ତ

ସେହି ତ ମଙ୍ଗଳମୟ;

ପଣକରେ ଜଣେ             ବୁଝିବା କଠିନ

ବିପଦରେ ହେବ ଥୟ ।

 

ପଣ୍ଡାଙ୍କର ଥିଲେ             ପଣ୍ଡିତପଣିଆ

ହୁଅନ୍ତେ କିପାଁ ବିକଳ;

ପ୍ରାଣତରୀ ଖଣ୍ଡ            ଦୁଃଖବାରିଧିରେ

ନ ହୁଅନ୍ତା ଟଳ ଟଳ ।

 

ନିତ୍ୟପ୍ରତି ପଞ୍ଚା-            କ୍ଷର ଜପୁ ଜପୁ

କନ୍ୟା ହେଲା ଦୃଷ୍ଟରଜା;

ଜାଣି ଏହା ପଣ୍ଡା             ପଣ୍ଡିଆଣୀଙ୍କର

ପାଣି ହୋଇଗଲା ମଜ୍ଜା ।

 

ଅଖ ପଡ଼ିଥିଲେ             ଗାଡ଼ି ଚାଲୁଥାଏ

ବୁଲି ପଡ଼ୁଥାଏ ପହି;

ସଂସାର ଭିତରେ             ଘର କରିଥିଲେ

ପଥର ପଡ଼ିଲେ ସହି ।

 

ଯହିଁପାଇଁ ଡର             ଥିଲା ସେ କଥା ତ

ଦଇବ ଦେଲା ଘଟାଇ;

ସାଧ୍ୟ ନାହିଁ ପଣ୍ଡା-            ଙ୍କର ସହିବାକୁ

ବାଧ୍ୟ ସେ ସହିବା ପାଇଁ ।

 

ବୟୋବୃଦ୍ଧି ସଙ୍ଗେ            ସଙ୍ଗେ ଲକ୍ଷ୍ମୀଙ୍କର

ମାର୍ଜ୍ଜିତ ହୋଇଲା ରୁଚି;

କେଉଁ ନଇଷ୍ଠିକ             ବିପ୍ର ବଇଷ୍ଣବ

ତାଙ୍କ ପରି ହେବ ଶୁଚି ।

 

ଇନ୍ଦ୍ର ହରିଥିଲେ             ଗଉତମ ନାରୀ

ହର ହରିଥିଲେ ମାତା;

ବିଷ୍ଣୁ ହରିଥିଲେ            ଜଳନ୍ଧର-ପତ୍ନୀ

ଉର୍ବଶୀ ହରିଲେ ଧାତା ।

 

ଚନ୍ଦ୍ର ହରିଥିଲେ             ଗୁରୁଙ୍କ ନାରୀଙ୍କି

କୃଷ୍ଣ ହରିଲେ ଆଭୀରୀ;

ପାର୍ଥ ହରିଥିଲେ             ଭଦ୍ରାଙ୍କୁ, ଗୋପାଳ

ହରିଲେ ବିପ୍ର-କୁମାରୀ ।

 

‘‘ବଡ଼ ଲୋକଙ୍କୁ ତ            ଉତ୍ତର ନାହିଁ ହେ

ସ୍ୱର୍ଗକୁ ନାହିଁ ନିଶୁଣୀ ?

ପଦେ କହିବାକୁ             କାହାର କ୍ଷମତା;

ଅଛିକି ସେ କଥା ଶୁଣି ।

 

ପ୍ରତ୍ୟହ ରାତ୍ରରେ             ସ୍ୱୟଂ ଗୋପାଳହିଁ

କଲେ ଲକ୍ଷ୍ମୀ ସଙ୍ଗେ ବାସ;

ଚନ୍ଦନ କର୍ପୂର             ତୁଳସୀ କୁସୁମ

ପରାଏ ବାସିଲା ବାସ ।

 

ଦିନେ ବା ଦିଦିନ             ମାସେ ପକ୍ଷେ ନୁହେଁ

ଏହିପରି ପ୍ରତି ଅହ;

କନ୍ୟାକୁ ପୁଚ୍ଛିଲେ             ପଣ୍ଡାଏ ଝିଅ ଲୋ

ଏହାର କାରଣ କହ ।

 

ଉତ୍ତରିଲେ ଲକ୍ଷ୍ମୀ             ମୋ ପୁରକୁ ବିଜେ

କରନ୍ତି ନିଜେ ଗୋପାଳ;

ବିଚାରିଲେ ପଣ୍ଡା             ସତ୍ୟ ହୋଇଥିଲେ

ଧନ୍ୟ ମୋହର କପାଳ ।

 

କାନକୁ ଦିକାନ             ହୋଇ ଏହି କଥା

ପ୍ରଘଟ ହେଲା ଗାଆଁରେ;

କେହି କଲେ ହାସ୍ୟ            କେ କଲେ ବିଶ୍ୱାସ

ମିଥ୍ୟା ଏ ହୋଇ ନ ପାରେ ।

 

କେହି ବା କହିଲେ             ଘଟାଇ ନ ପାରି

ଝିଅପାଇଁ ଏକ ବର;

ଗୋପାଳଙ୍କ ନାମ            ମିଛରେ କହୁଛି

ପାପକୁ ନ କରି ଡର ।

 

ଗୋଟିଏ କଥାରେ             ସର୍ବେ ଏକମତ

ନୋହିବା ନୁହେଁ ବିଚିତ୍ର;

ପ୍ରତ୍ୟକ୍ଷ ପ୍ରମାଣ            ପାଇବ ପାଠକେ

ସ୍ମରିଲେ ରାମ- ଚରିତ ।

 

ପ୍ରଭୁ ଅନ୍ତର୍ଯ୍ୟାମୀ            ଜାଣିପାରି ଏହା

ଲୋକଙ୍କ ପ୍ରତ୍ୟୟ ପାଇଁ;

ଛାଡ଼ି ଆସିଲେ ସେ             ମୁରଲୀ ଗୋଟିକ

ଲକ୍ଷ୍ମୀଙ୍କ ପାଶକୁ ଯାଇ ।

 

ପ୍ରଭାତରେ ପାଞ୍ଚ            ଜଣଙ୍କୁ ପଣ୍ଡାଏ

ଦେଖାଇଲେ ଡାକି ଆଣି;

ଦୁଆର ଫିଟାଇ             ଦେଖିଲେ ଦେଉଳେ

ଗୋପାଳହିଁ ଶୂନ୍ୟପାଣି ।

 

ନାନା ତର୍କପରେ            ସ୍ଥିର କଲେ ନରେ

ଘଟନା ଅଟେ ପ୍ରକୃତ;

ନିଜେ ବୃଷଭାନୁ             ଜେମା ଲକ୍ଷ୍ମୀରୂପେ

ହୋଇ ଅଛନ୍ତି ସମ୍ଭୁତ ।

 

ସେ ପରାଝିଅକୁ             ମିଳି ନ ଥାନ୍ତା କି

ବରଟିଏ ଆଜିଯାଏ;

ମନୁଷ୍ୟର ଭୋଗ୍ୟ            ବସ୍ତୁ ନୁହେଁ; ବାଘ

ଛାଲ କି କୁକୁର ଖାଏ ?

 

ଧନ୍ୟ ହେ ପଣ୍ଡାଏ             ତୁମ୍ଭ ପ୍ରାଣ ଧନ୍ୟ

ଲକ୍ଷ୍ମୀଟି ଲକ୍ଷ୍ମୀ ପ୍ରକୃତ

ଝିଅ କରି ତୁମ୍ଭେ            ପାଇଲ ତାହାଙ୍କୁ

ଜ୍ୱାଇଁ ହେଲେ ନନ୍ଦସୁତ ।

 

ଉଧୁରି ହୋଇଲେ             ପଣ୍ଡା ପଣ୍ଡାଆଣୀ

କୁଣ୍ଡେମୋଟ ହେଲା ଛାତି;

ଝିଅଜ୍ଞାନ ଆଉ             ନ ରଖି ଭକ୍ତିରେ

ସେବା କଲେ ଦିନ ରାତି ।

 

ବାବା ବ୍ରହ୍ମଚାରୀ             ଏହା ଶୁଣି କଲେ

ସ୍ୱର୍ଣ୍ଣପ୍ରତିମା ନିର୍ମାଣ;

ଆରମ୍ଭ ଦିନରୁ             ଲକ୍ଷ୍ମୀ ପୀଡ଼ାଗ୍ରସ୍ତ

କ୍ରମେ କ୍ରମେ ହେଲେ ଜାଣ ।

 

ତାକିତ ହୋଇଲା             ବିନ୍ଧାଣୀମାନଙ୍କୁ

ନିଖୁଣେ କର ତିଆର;

ଗଣ୍ଡସ୍ଥଳେ ଚିହ୍ନ            ରହିଗଲା ବାଜି

ଅଜ୍ଞାତରେ ହତିଆର;

 

ଖୁଣ ଛପାଇବା             ପାଇଁ କାରିଗର

ରୁହା ଘସେ ବାରମ୍ବାର;

ଊଣା କି ଅଧିକ             ନୋହିଲା ଲକ୍ଷଣ

‌ବୋହିଲା ରୁଧିର ଧାର ।

 

ଦେଖିଲା ବେଳକୁ             ଲକ୍ଷ୍ମୀଙ୍କ ଚିବୁକେ

ଅଛି ଏକ କଳାଯାଇ;

ବିଚାରିଲେ ଏହା            ଦଇବ ଘଟନା

ପାରିବ କିଏ ଲିଭାଇ ।

 

ପ୍ରତିମାର ପ୍ରାଣ-            ପ୍ରତିଷ୍ଠା ବେଳକୁ

ଲକ୍ଷ୍ମୀ ଇହଲୀଳା ସାଙ୍ଗ;

କରି ସ୍ୱର୍ଣ୍ଣଦେହେ             ରହିଲେ ଦେଉଳେ

ଲଭି ଗୋପାଳଙ୍କ ସଙ୍ଗ ।

 

ବାମପାର୍ଶ୍ୱ ବିଜେ             ହୋଇ ନାଗବଲ୍ଲୀ

ବଢ଼ାଇ ଦିଅନ୍ତି ଧରି;

ଦରଶନ କଲେ             ଯୁଗଳ ମୂର୍ତ୍ତିଙ୍କି

ଦର୍ଶକ ହୁଏ ଉଧରି ।

 

ଏ ରାଧା କୃଷ୍ଣଙ୍କ             ମୂର୍ତ୍ତିପରି ଆଉ

ସାରା ବ୍ରହ୍ମାଣ୍ଡରେ ନାହିଁ;

କେହି ଗଢ଼ି ନାହିଁ             ନିଜେ ଗଢ଼ିହୋଇ

ଅଛନ୍ତି ବ୍ରହ୍ମାଣ୍ଡସାଇଁ ।

 

ସତ୍ୟ କହିବାକୁ             ଆସିଥିବା ଦିଅଁ

ତହିଁ କରିବାରୁ ଗାଦି;

ସ୍ଥାନ ନାମ ତେଣୁ             ବୋଲାଉଛି ସାକ୍ଷୀ

ଗୋପାଳ ବା ସତ୍ୟବାଦୀ ।

 

ଭୁବନେଶ୍ୱର ଶ୍ରୀ-            ପୁରୀକ୍ଷେତ୍ର ପରି

ଏହା ମଧ୍ୟ ତୀର୍ଥ ଏକ;

ମୂକ ସାକ୍ଷୀରୂପେ            ଜଣାଉଛନ୍ତି ଏ

ଓଡ଼ିଶାର ପୂର୍ବଟେକ ।

 

ଅତୀତ ଗୌରବ            ମହିମା ବିଭବ

କାହିଁ ଯାଇଅଛି ଚାଲି;

କର୍ପୂର ତ ଉଡ଼ି            ଗଲାଣି କେବଳ

କନା ପଡ଼ିଅଛି ଖାଲି ।

 

ସତେ ମହାପ୍ରଭୁ             ସୁଦୟା କରିବ

ଗରିବ ଉତ୍କଳ ପ୍ରତି;

ଫେରିବ ପୂରୁବ            ଅବସ୍ଥା ସରିବ

ଦୀନ ଉତ୍କଳ ଦୁର୍ଗତି ।

 

ଜୀବନ୍ତ ପ୍ରତିମା             ପରି ଦିଶୁଛନ୍ତି

ସିଂହାସନେ ଦେବଦେବୀ;

ସ୍ୱୟଂ ସୃଷ୍ଟିକର୍ତ୍ତା            ତାଙ୍କ ସଙ୍ଗେ ଆଉ

କାହାକୁ ଉପମା ‌ଦେବି ।

 

ସୁରତରୁ ନାଗ-            କେଶର ଚମ୍ପକ

ତମାଳ କେତକୀ ଚୂତ;

ଛୁରିଅନା ଗୁଆ            ନଡ଼ିଆ ବକୁଳ

କାନନେ ବିଜେ ଅଚ୍ୟୁତ ।

 

ଦିଅଁକୁ ‌ଦେଖି ସେ             ତୋଟାକୁ ଦେଖିଲେ

ନ କରିବ ଶୋଷ ଭୋକ;

ଲକ୍ଷେ ଟଙ୍କା ଖର୍ଚ୍ଚ            କଲେ ମଧ୍ୟ ତାହା

କରି ନ ପାରିବ ଲୋକ ।

 

ବସନ୍ତ କାଳରେ             ସେ ବନେ ବୁଲିଲେ

ଦେହେ ନ ରହିବ ରୋଗ;

ପୁଷ୍ପ ବାସନାରେ             ବାସନା ପୂରିବ

ହେବ ଗୁରୁସୌରିଯୋଗ ।

 

ଗମି ନ ପାରିବ             ପହଣ୍ଡେ ମାତ୍ରକ

ଫୁଲେ ନ ପକାଇ ପାଦ;

ଦୂର ହୋଇଯିବ             ଥିଲେ ମଧ୍ୟ ମନେ

ସୁତଜନିତ ବିଷାଦ ।

 

ଯମୁନା ରୂପରେ             ବହିଯାଏ ଯହିଁ

ରତ୍ନଚିରା ନାମେ ନଦୀ ;

ତେବେ ଏ ଦ୍ୱିତୀୟ             ବୃନ୍ଦାବନ ହେଲା

ଶ୍ରୀହରି ରହିଲେ ଯଦି ।

 

ଚାରିପାଖେ ଘେରି             ରହିଛି ଶାସନ

ତାହାର ମାଧୁରୀ ମୁଖେ;

କହି ହେବନାହିଁ             ସେହି ଅଟେ ଧନ୍ୟ

ରହିଛି ଯେ ତହିଁ ଦୁଃଖେ ।

 

ଶାଖାହୀନ ବୃକ୍ଷ            ବେଶୀ ସେ ଅଞ୍ଚଳେ

ହରଇ ନୟନ ମନ;

ବିନା ଆତପତ୍ରେ            ପ୍ରଚଣ୍ଡେ ଆତପେ

କରି ପାରିବ ଗମନ ।

 

ଦେବତା ବ୍ରାହ୍ମଣ             ବାସଯୋଗ୍ୟ ସ୍ଥାନ

କି କହିବି ତା ସୁଷମା;

ଓଡ଼ିଶା ମଧ୍ୟରେ             ନାହିଁ ଆଉ ସ୍ଥଳ

ଦେବାକୁ ତାକୁ ଉପମା ।

 

ବହୁତ ଶାସନ-            ବେଷ୍ଟିତ ହୋଇଣ

ସତ୍ୟବାଦୀ ଛନ୍ତି ବସି;

ବ୍ରାହ୍ମଣ ଯୁବକ            ଭୋଗ କରୁଛନ୍ତି

ଚୂଡ଼ାରେ ନଡ଼ିଆ ଘଷି ।

 

ସାଙ୍ଗ ହୋଇ ଭାଙ୍ଗ            ଚକଟାଦି ଭୋଗ

କରୁଛନ୍ତି ପଂଝା ପଂଝା

କ୍ରମେ କ୍ରମେ ଏବେ             ସେ ମଉଜ ସବୁ

ହେଲାଣି ବାର୍ଷିକ ଖଞ୍ଜା ।

 

ଜଗନ୍ନାଥ ଯାତ୍ରୀ            ବହୁତ ସେଠାକୁ

ହେଉଛନ୍ତି ଗତାଗତ;

ଗଣ୍ଡାକ ନିମନ୍ତେ             ପଣ୍ଡାମାନେ ତାଙ୍କୁ

ଭଣ୍ଡାଉଛନ୍ତି ସତତ ।

 

କହନ୍ତି ସେବକ,            ଆସିଥିଲା ପୁରୀ

ଏ ହେଲେ ତୁମ୍ଭର ଗୁହା;

ଏ ହେତୁ ଏ ସାକ୍ଷୀ             ଗୋପାଳ ବୋଲନ୍ତି

ସୁକୃତ ହୋଇଲା ଥୁଆ ।

 

ଜଗନ୍ନାଥ ଦେଖି             ଏହାଙ୍କୁ ଦର୍ଶନ

ନ କଲେଟି ଅକରଣ;

ନ ମାନିବ ଆଉ             ଦିଅଁ ଦେଖିବାର

ସୁକୃତ ଯମକରଣ । ’୩୩

 

ପଣ୍ଡାଙ୍କପାଇଁ ସେ            ନିଜ ଦେଶପଣ

ଟେକ କରୁଛନ୍ତି ପଣ୍ଡ;

କଳିଯୁଗେ ଭଣ୍ଡ            ଜିଅନ୍ତି ସନ୍ତରା

ବଣରେ ଜିଅନ୍ତି ଧଣ୍ଡ ।

 

କାହିଁ କଥା କାହିଁ            ଲଗାଉ ଅଛନ୍ତି

ପାଇବାକୁ କିଛି ଅର୍ଥ;

ମିଛରେ ଜାଣିବା            ନରକୁ ସେ ଜାଣି

ବାନର କରନ୍ତି ଅର୍ଥ ।

 

ପରିଣୟ ପାଇଁ            ଯେଣୁ ସାକ୍ଷୀ ହୋଇ

ଆସିଥିଲେ ସେ ଗୋପାଳ;

ଆଜି ସୁଦ୍ଧା ଲୋକେ             ତାହାଙ୍କ ଛାମୁରେ

ଲଗାନ୍ତି ସେହି ଜଞ୍ଜାଳ ।

 

ବର-କନ୍ୟାଙ୍କର             ମେଳକ ନ ବୁଝି

ଏବେ ମଧ୍ୟ କେହି କେହି

ବିବାହ ନିର୍ବାହ             କରୁଛନ୍ତି କିଛି

ଧନ ଠାକୁରଙ୍କୁ ଦେଇ ।

 

ସେ କାଳ ଯାଇଛି             ସେ ଦିଅଁ ଅଛନ୍ତି

ଶୁଣୁ ନାହାନ୍ତି ଗୁହାରି

ଶୁଣୁଥାନ୍ତେ ଯେବେ            କଚେରି ମଧ୍ୟକୁ

ନିଅନ୍ତେ ମଧ୍ୟ ଓଟାରି ।

 

ଲୁହା ଜାଣି ପାଣି             ଦାନ କରୁଛନ୍ତି

କରିବାରୁ ବେଶୀ ପାପ;

ସମରଥ ପୁଅ             ଘରେ ଥାଉ ଥାଉ

ମାଗି ଖାଉଅଛି ବାପ ।

 

ମାଆ ଖାଉଅଛି             ମାଣ୍ଡିଆ ଚକୁଳି

ଭାରିଯା ଖାଉଛି ଭାତ;

ବ୍ରାହ୍ମଣ ବୈଷ୍ଣବ             ଗୁରୁ ଦେବତାଙ୍କୁ

ଟେକୁ ନାହାନ୍ତି କେ ହାତ ।

 

ଥୟ ଲୟ କଲେ            ପୟୋଜ ପୟରେ

ରଖିବେ ଘଣ୍ଟ ଘୋଡ଼ାଇ;

ସେପରି ଭକତି             ଦେଖିବାରୁ ସିନା

ପାଚ ଅଇଲେ ଗୋଡ଼ାଇ ।

 

ବୃନ୍ଦାବନ ଯେତେ-            ବେଳେ ଏ ଦେଶକୁ

ଆସିଥିଲେ ଗୋପୀନାଥ;

ନ ଫେରିବା ଯାଏ            ଅନ୍ନ ନ ଛୁଇଁବେ

ବୋଲି କରିଥିଲେ ସତ୍ୟ ।

 

ଖଜା ପିଠା ଗଜା             ଡାଳିମ୍ବ ଛତୁଆ

ପଣସ କଦଳୀ ଚୂତ;

ନବନୀତ ଦଧି            ସର ଭୋଗ ହୁଏ

ଅନ୍ନ ହୋଇଅଛି ଚ୍ୟୁତ ।

 

ପୁରୀ ରାଜାଙ୍କର            ଭାଇପୁଅ ଥିଲେ

ଦେଉଳର ଅଧିକାରୀ;

ରୀତିମତ ନୀତି            ଚଳାଉ ନଥିଲେ

ଅସୁଲ କରି ନ ପାରି ।

 

ଶ୍ରୀ ନନ୍ଦକିଶୋର             ବାବୁ ଆସିଥିଲେ

କରିବାକୁ ଦରଶନ;

ପରମ ଭକ୍ତ ସେ             ଠାକୁରଙ୍କ ଦଶା

ଦେଖି ହୋଇଲେ ବିଷର୍ଣ୍ଣ

 

ଦିନ ପ୍ରହରକ            ପର୍ଯ୍ୟନ୍ତ ଦିଅଙ୍କ

କବାଟ ଫିଟୁ ନ ଥିଲା

ମାରଫତଦାର             ସେବକ ସୁଆର

ସର୍ବେ କରୁଥିଲେ ଢିଲା ।

 

ଜଜ ସାହେବଙ୍କୁ             ଜଣାଇ ସେ ବାବୁ

ଦେଉଳକୁ କଲେ ଖାସ ;

କମିଟି ହାତରେ             ରହିବାରୁ କାର୍ଯ୍ୟ

ନୀତି ଚଳୁଛି ସାବାସ ।

 

ତାଙ୍କ ଯୋଗ୍ୟ ପୁତ୍ର             ଶ୍ରୀ ରାଜକିଶୋର

ଥିଲେ ପୁରୀ ମେନେଜର;

ଯଥା ନିୟମରେ             ଚଳାଉଥିଲେ ସେ

କାର୍ଯ୍ୟ ଜଗନ୍ନାଥଙ୍କର ।

 

ତାଙ୍କପରି ସ୍ୱାର୍ଥ            ହୀନ ଭକ୍ତ ଯଦି

କରି ନଥାନ୍ତେ ବ୍ୟବସ୍ଥା;

ପୁରୀର ଗାରିମା             ସବୁ ସରନ୍ତାଣି

ଲିଭିଥିଲା ଯେ ଅବସ୍ଥା ।

 

ପିତାପୁତ୍ର ବେନି             ନାମ ରଖିଗଲେ

କରି ଏ ଦୁଇଟି କାମ

ତାହାଙ୍କ କୁଳକୁ             ଉଜ୍ଜ୍ୱଳ କର ହେ

ଜଗନ୍ନାଥ ବଳରାମ ।

 

ଏବେ ଉତ୍କଳର             ଯୋଗ୍ୟତମ ସୁତ

ବିପ୍ର ଗୋପବନ୍ଧୁ ଦାସ;

ସ୍ୱାର୍ଥେ ଜଳାଞ୍ଜଳି            ଦେଇ ହୋଇଛନ୍ତି

ଭାରତମାତାର ଦାସ ।

 

ବସାଇ ଅଛନ୍ତି            ଉଚ୍ଚ ବିଦ୍ୟାଳୟ

ପୁଣି ଏକ ଛାପାଖାନା;

ବାହାର କରନ୍ତି             ଖବର କାଗଜ

ପ୍ରକାଶି ସମ୍ବାଦ ନାନା ।

 

ଆହୁରି ଉନ୍ନତି             ପାଇଁ କରୁଅଛି

ଦିଅଙ୍କଠାରେ ପ୍ରାର୍ଥନା

ଊଣା ଅଧିକରେ             ସରିଲା ଏଠାରେ

ମୋହର ଗୀତି ରଚନା ।

 

ମନ୍ଦାକିନୀ

 

ପୁଣ୍ୟସ୍ଥାନ ରାଶିରାଶି ଏ ଉତ୍କଳ

ନିସର୍ଗ ଶୋଭାର ଅଟୁ ଶ୍ରେଷ୍ଠସ୍ଥଳ । ।୧।

 

ତୋ ଅଙ୍ଗକୁ ବହୁ ତୀର୍ଥ ଦ୍ୱାରା ପୂତ

କରିଛନ୍ତି ତୋର ଯୋଗ୍ୟତମ ସୁତ । ।୨।

 

ତୋହର ଅତୀତ ବିଭବ-ଗୌରବ

ଜଣାଇ ଦେଇଛି କୀରତି ସରବ । ।୩।

 

ନାହିଁ ସେହି ଶାନ୍ତ ନାହାନ୍ତି ସେ ଜନ

ନାହିଁ ତୋର ଆଉ ଭଣ୍ଡାରରେ ଧନ । ।୪।

 

ଧନୀ ଧନ କରେ ଗରିବ ମଙ୍ଗଳ

ପଉରୁଷ ଅଟେ ପୁରୁଷର ମୂଳ । ।୫।

 

ପୂର୍ବେ ଜନ୍ମ ପାଇଥାଏ ପୁଣ୍ୟବଳ

ଜାତ ହୋଇ ମର୍ତ୍ତ୍ୟେ ଭୋଗେ ସେ ସକଳ । ।୬।

 

ଖ୍ୟାତନାମା ହୋଇ ଲଭେ ସେହି ଖ୍ୟାତି

କର୍ମବୀରକୁ ଯେ ନ ଭୁଲେ ଏଜାତି । ।୭।

 

କାଠ ଯୋଡ଼ି , କୁଶ-ଭଦ୍ରା , କୁଆଖାଇ

ଭାର୍ଗବୀ ଦଧୀଚିମୁନିସୁତା ଯହିଁ । ।୮।

 

କନ୍ଦାକିନୀ ତାହା ମ‌ଧ୍ୟେ ଅଟେ ଏକ

ଅବିଖ୍ୟାତ ବହୁଜନେ ତାର ଟେକ । ।୯।

 

ବର୍ଣ୍ଣିବାକୁ କିଛି ହେବାରୁ ଆଗ୍ରହ

ଲେଖୁଛି ତାହା ମୁଁ କରିଛି ସଂଗ୍ରହ । ।୧୦।

 

ଆଗୋ ମନ୍ଦାକିନୀ ତୋ ଜନମ ସ୍ଥଳ

ଅଳ୍ପଲୋକ ମାତ୍ର ଜାଣନ୍ତି କେବଳ । ।୧୧।

 

ନବଦୁର୍ଗ ଘନ କାନନୁ ଉତ୍ପତ୍ତି

ପଶ୍ଚିମୁ ପୂର୍ବକୁ କରୁଅଛୁ ଗତି ।୧୨।

 

ଆଗ୍ରହ ଯାହାର ପରହିତପାଇଁ

ଆଗକୁ ଚାଲେ ସେ ପଛକୁ ନ ଚାହିଁ ।୧୩।

 

ପୂର୍ବରୁ ଉଦୟ ପଶ୍ଚିମରେ ଅସ୍ତ

ଏହା ଭାବି ମନେ ଗମନେ ଉଦ୍ୟତ । ।୧୪।

 

ନବଦୁର୍ଗ ଯେଣୁ ତୋ ଜନମ ଭୂଇଁ

ନୂତନ ଉତ୍ସାହ ହୃଦ‌ରେ ଜନ୍ମାଇ । ।୧୫।

 

ଆଗରେ ଭେଟିବୁ ସମର ଦୁର୍ଗକୁ

ଭ୍ରୂକ୍ଷେପ ନ କରି ଫୁଲାଇବୁ ବୁକୁ । ।୧୬।

 

ନିଆଁ, ନାଗ , ନଦୀ , ତିନି ଏ ସମାନ

ନ ମାନନ୍ତି କେବେ କାହାର ବାରଣ । ।୧୭।

 

କବି ରାଧାନାଥ ଲେଖିଛନ୍ତି ଜାଣ

ନଦୀ ମନ୍ଦାକିନୀ ଅମନ୍ଦଗାମିନୀ । ।୧୮।

 

ପଥ‌ରେ ପଥରେ ଡେଇଁ ମାଟି କାଟି

ତ୍ୱରିତ ପ୍ରବାହେ ଅଇଲୁ ଧପଟି । ।୧୯।

 

ଗତି ଅବୋରଧ କରନ୍ତେ ମଟାଳ

ପରାଜିତ ହେଲା ତୋହର କଟାଳ । ।୨୦।

 

ସେଠାରେ କୁଟିଳ କଲୁ ତୋର ତନୁ

ବାରିବାହ କୋଳେ ଯଥା ଶକ୍ରଧନୁ । ।୨୧।

 

ସରଧାରଣ ହିତ ପାଇଁ ଯେ ସଂଜାତ

ମାନିବ କି କେବେ ସେ ବିଘ୍ନ ବ୍ୟାଘାତ । ।୨୨।

 

ତୁଚ୍ଛାକୁ ଭ୍ରୁକ୍ଷେପ ନ କରି ସେ ଲବେ

ମହା ମହା କାର୍ଯ୍ୟ ସାଧଇ ଏ ଭବେ । ।୨୩।

 

କାହିଁ କ୍ଷିପ୍ର କାହିଁ ମନ୍ଥର ଗମନ

‌ଦେଖୀ ଭାବୁକର ପ୍ରଫୁଲ୍ଲିତ ମନ । ।୨୪।

 

କେଉଁଠାରେ ଗଣ୍ଡ କେଉଁଠି ଭଉଁରି

ଡରି ଦୂରୁ ଆଡ଼ ହୁଅଇ ନାଉରି । ।୨୫।

 

ଖେଳି ଖେଳି ଚାଲୁଅଛି ରାତିଦିନ

ଗର୍ଭେ ଧରି ବହୁ ଭେକ , ପୋକ, ମୀନ । ।୨୬।

 

ବ୍ରାହ୍ମଣୀ ବଳଙ୍ଗ ପରି ତୁ ପ୍ରଧାନ

ନ ହେବାରୁ ଗ୍ରନ୍ଥେ ପାଇ ନାହୁଁ ସ୍ଥାନ । ।୨୭।

 

ସଲିଳ ସମ୍ପଦେ ହେବାରୁ ତୁ ହୀନା

କେହି ନ ଜାଣିଲେ ତୋହ ନାମ ସିନା । ।୨୮।

 

ଶିଖିଲି ତଟିନୀ ତୋହଠାରୁ ଆଜ

ଦୁଃଖୀକି ଆଦର ନ କରେ ସମାଜ । ।୨୯।

 

ତୋ’ ପରି ଫଲଗୁ ହୁଏ ରାମଶାପେ

ଆପେ କେତେକାଳ ଅର୍ଜିଅଛି ଆପେ । ।୩୦।

 

ତେବେ ମଧ୍ୟ ସେହି ତୀର୍ଥରେ ଗଣତି

ଜଗତେ ନାମ କିଏ ନ ଜାଣନ୍ତି । ।୩୧।

 

ବୋଲାଉଛି ଯେଣୁ ମର୍ତ୍ତ୍ୟରେ ବୈକୁଣ୍ଠ

କୋଟିଜନ ଯାର ଦର୍ଶନେ ଆକୃଷ୍ଟ । ।୩୨।

 

ସିନ୍ଧୁଜେମା ପ୍ରାଣବନ୍ଧୁ ଭାବଗ୍ରାହୀ

ନୀଳଶୈଳେ ଦିନେ ଘେନି ଭଗ୍ନୀଭାଇ । ।୩୩।

 

ତାଙ୍କ ପାଦପଦ୍ମ ଧଉତ ଉଦ୍ଦେଶ୍ୟେ

ଯାଉଥିଲୁ ସହି ଅନୁପମ ଦେଶେ । ।୩୪।

 

ଅର୍ଦ୍ଧପଥେ ମିଶିଗଲୁ ଦୟା-ସଙ୍ଗେ

ଭକ୍ତ ଆତ୍ମା ଯଥା ପରମାତ୍ମା ଅଙ୍ଗେ । ।୩୫।

 

ମତ୍ସ୍ୟାଶୀ ବିହଙ୍ଗ ପୁରିତ ଚିଲିକା

ପ୍ରକୃତି ‌ଦେବୀଙ୍କ ସୁଷମା ପେଟିକା । ।୩୬।

 

ପ୍ରଦର୍ଶନୀ ସଭା ପ୍ରକୃତି ସୁନ୍ଦରୀ

ବସାଇ ଅଛନ୍ତି ଶାଶ୍ୱତ ମାଧୁରୀ । ।୩୭।

 

ସଙ୍ଗେ ଘେନି ତୋତେ ସେ ଦୟା ସଜନୀ

ଦେଖାଇ ଦେଲା ସେ ଚାରୁ ପ୍ରଦର୍ଶନୀ । ।୩୮।

 

ଖରାଦିନେ ତୋର ଧାରା ଯାଏ ଲୁଚି

ରହିଯାଉ କାହିଁ ଦୟାଠାରୁ ଘୁଞ୍ଚି । ।୩୯।

 

ହେଲେହେଁ ତୋହର ସ୍ରୋତ ଭାରି ଟାଣ

ବାଣଠାରୁ ଶୀଘ୍ର କରୁଛୁ ପ୍ରୟାଣ । ।୪୦।

 

ଆଖୁଆ, ହଡ଼ା ଏ ବେନି ଉପନଦୀ

ପ୍ରାବୃଟେ କରନ୍ତି ତୋ ଶରୀର ବୃଦ୍ଧି । ।୪୧।

 

ବହିଲେ ଟିକିଏ ପୂରୁବା ପବନ

ପୂର୍ଣ୍ଣ ହୁଏ ତୋର ଶଯ୍ୟାରେ ଜୀବନ । ।୪୨।

 

ଘନ ଘନ କେତେ ବନ ବିଲ ମାଡ଼ି

ବଡ଼ ବଡ଼ ବୃକ୍ଷ ଗୁଳ୍ମ ଲତା ତାଡ଼ି । ।୪୩।

 

ଚାହୁଁ ଚାହୁଁ ରାହୁପରା ଘୋଟିଆସେ

ଘେରିଯାଏ ପଲ୍ଲୀଗ୍ରାମ ଚାରିପାଶେ । ।୪୪।

 

ଗ୍ରାମାନ୍ତରେ ଲୋକେ ନ ପାରନ୍ତି ଯାଇ

ଭାଗ୍ୟବଳେ ତାହା ଅଳ୍ପକାଳ ସ୍ଥାୟୀ । ।୪୫।

 

ଯେଉଁଠାରେ ବଢ଼ିପାଣି ଯାଏ ମାଡ଼ି

ଧାନ ରବି ଶସ୍ୟ ଦିଏ ସେ ଅଜାଡ଼ି । ।୪୬।

 

ପଟୁ ପଡ଼ିବାରୁ ଅପଟୁ ଜାଗାଟି

ବଳରେ ଜିଣଇ ପଡ଼ିଆକୁ ମାଟି । ।୪୭।

 

କୃଷୀବଳ ବଳ ପାଇ ତୋର ଜଳ

କୂଳରେ କରନ୍ତି ବିବିଧ ଫସଲ । ।୪୮।

 

ମୂଳ, କନ୍ଦମୂଳ, ଆଖୁ , ସାରୁ , ଅଦା

କାକୁଡ଼ି ,କଲରା, ବାଇଗଣ, ଗଦା । ।୪୯।

 

ଦୁଇ ପାର୍ଶ୍ଵେ ଅଛି ବହୁ ଧାନ ବିଲ

ଅନାବୃଷ୍ଟି କାଳେ ଯୋଗାଏ ସଲିଳ । ।୫୦।

 

ଶୋଭାର ସଂପଦ ରମ୍ୟ ଦୁଇକୂଳ

ଦର୍ଶନେ ଦର୍ଶକ ମାନସ ଚଞ୍ଚଳ । ।୫୧।

 

ଉପକାର କରୁ ଅନେକ ପ୍ରକାରେ

ଅପକାର ଊଣା ତାହା ତୁଳନାରେ । ।୫୨।

 

ନଦୀଜଳ ଦଶମୂଳର ପାଚନ

ଶୁଣିଛି ଲୋକଙ୍କ ଠାରୁ ଏ ବଚନ । ।୫୩।

 

ତୋ ଉପରେ ଖ୍ୟାତ ଚାଣକ୍ୟ ବଚନ

ଯହିଁ ନଦୀ ତହିଁ ଯୋଗ୍ୟ ବାସସ୍ଥାନ । ।୫୪।

 

ଖରସ୍ରୋତା ହେତୁ ନୋହୁଁ ତୁ ଗଭୀର

ତୋ ଗର୍ଭେ ନାହାନ୍ତି ମଗର କୁମ୍ଭୀର । ।୫୫।

 

ନାହାନ୍ତି ତ କାହିଁ ଭୟଙ୍କର ସର୍ପ

ପ୍ରାଣୀଙ୍କ ଉପରେ କରିବାକୁ ଦର୍ପ । ।୫୬।

 

ଗିରିନଦୀ ହେତୁ ନୋହୁଁ ତୁ ପଙ୍କିଳ

କେତେବେଳେ ଜଳ ନୁହଁଇ ଆବିଳ । ।୫୭।

 

ଭେଷଜ ସ୍ୱରୂପ ଅଟେ ତୋ ଉଦକ

ଅମୃତ ନାମଟି ତୋ ପକ୍ଷେ ସାର୍ଥକ । ।୫୮।

 

କେତେ ଯେ ବାଳିଆ, ଶେଉଳ, ଚିଙ୍ଗୁଡ଼ି

ଗାଗର, ମାଗୁର , ତୋଡ଼ି, ମହୁରାଡ଼ି । ।୫୯।

 

ସେରଣା , କଣ୍ଟିଆ , ଚେଙ୍ଗା , ମୀନ , ଫଳି

ଉଦରେ ଅଛନ୍ତି ମାଛ ନାନା ଭଳି । ।୬୦।

 

ଚିଲ, ପାଣିକୁଆ, ମାଛରଙ୍କା , ବଗ

ଆଧାର ନିମନ୍ତେ ଭ୍ରମୁଥାଏ ଖଗ । ।୬୧।

 

କଇଁଆ , କପିତ୍ଥ , ପଣସ , ରସାଳ

ତାଳ, ନାରିକେଳ , ଶାଳ , ପିଆଶାଳ । ।୬୨।

 

ଅଶ୍ୱତ୍ଥ, ଖଜୁରି, ଗୁଆ, ବେଲ, ବଟ

କେତେ ବୃକ୍ଷ ବୀରାଜିତ ବେନିତଟ । ।୬୩।

 

କାହା ଶାଖା ତୋର ସଲିଳରେ ଲୋଟେ

କେ ଅବା ବିଞ୍ଚଇ ବଲ୍ଲବ ଆଲଟେ । ।୬୪।

 

ଶ୍ୟାମଳ ଘର୍ଘର ମର୍ମର ଶବଦ

ତୋର ଜଳ କଳକଳ ନାଦ ବାଦ୍ୟ । ।୬୫।

 

ବିହଙ୍ଗ ଗଣଙ୍କ କାକଳୀ ସଂଗୀତ

ବାରିଚର କ୍ରୀଡ଼ାନୃତ୍ୟ ତୋଷେ ଚିତ୍ତ । ।୬୬।

 

ଘନକାଳେ ବନସ୍ପତି ଡାଳେ କେକୀ

କାହିଁ ଆନନ୍ଦରେ ନାଚେ ପୁଚ୍ଛ ଟେକି । ।୬୭।

 

କରୁଣ ନିଃସ୍ୱନ କପୋତ କପୋତୀ

କରୁଥାନ୍ତି କେଉଁଠାରେ ମୁଖ ପୋତି । ।୬୮।

 

ଭଦଭଦଳିଆ, ପିକ , ବଣି, କୁଆ

‌ଗୋବରା, ତେଣ୍ଟିଆ, ସାରୀ , କୁମ୍ଭାଟୁଆ । ।୬୯।

 

କାଠହଣା , ଖଞ୍ଜରୀଟ, କାମପକ୍ଷୀ

ତୋ ତଟସ୍ଥ ବନେ କେତେ ଅଛୁ ରଖି । ।୭୦।

 

ଭଲ୍ଲୁକ , ଶୂକର , ମୃଗ , ମହାବଳ

ଅରଣ୍ୟ ପ୍ରାଣୀଙ୍କ ତୁ ପ୍ରମୋଦ ସ୍ଥଳ । ।୭୧।

 

ରାକା – ରଜନୀ‌ରେ ମହାରୁହ ଛାୟା

ଶ୍ଵେତ କୃଷ୍ଣ ବର୍ଣ୍ଣେ ମଣ୍ଡଇ ତୋ କାୟା । ।୭୨।

 

ପ୍ରକୃତି ଦେବୀଙ୍କ ଚାରୁ ଚନ୍ଦ୍ରାତପ

ତୋ ବକ୍ଷେ ଆଣି କି ପକାଏ ପାଦପ । ।୭୩।

 

ଶୁଭ୍ର ଚନ୍ଦ୍ରକର ପତ୍ରର ନୀଳିମା

ବୃକ୍ଷ ଅନ୍ତରାଳ ଅନ୍ଧାର କାଳିମା । ।୭୪।

 

ତୋ ବାରି ପରଶି ମୃଦୁ ସମୀରଣ

ଦର୍ଶକର ମନ କରଇ ହରଣ । ।୭୫।

 

ଠାବେ ଠାବେ ତୋର ପଠାରେ ପ୍ରକାଶ

ଶ୍ଵେତ ପୁଷ୍ପଧାରୀ ହୋଇଥାଏ କାଶ । ।୭୬।

 

ନବୀନ ଶରଦ ଶୁକ୍ଳ ଚାମରରେ

ଦିବୁ ଆସି କିବା ତୋର ସେବା କରେ । ।୭୭।

 

ବୃଦ୍ଧା ବରଷାର ଶୁଭ୍ର କେଶ କି ସେ

ଦୂରରୁ ବକାଳୀ ପରାୟେ କି ଦିଶେ । ।୭୮।

 

ପାଣି ବେଗୁନିଆ ପାଟଳି ହିଞ୍ଜଳ

କୁସୁମେ ମଞ୍ଜୁଳ ସ୍ଥଳେ ସ୍ଥଳେ ଜଳ । ।୭୯।

 

ଗତିଶୀଳ ରକ୍ତ କମଳ ଛବିକି

ବହି ବର୍ଣ୍ଣେ ଜିଣେ ନୂତନ ରବିକି । ।୮୦।

 

ଘଟୁଛି ତୋ ତଟେ ଯେ ଘଟଣାବଳୀ

ଦେଖୀ ନୀରବରେ ଯାଉଅଛୁ ଚଳି । ।୮୧।

 

ମୁରଲୀ ବଜାଇ କେଉଁଠି ଗୋପାଳ

ଗଛମୂଳେ ଥାଇ ଚରାଏ ଗୋପଲ । ।୮୨।

 

ସ୍ନାନ ପାନେ ବ୍ୟବହାର କରି ବାରି

ଶାନ୍ତି ପାଇ ବସେ ଚିନ୍ତାକୁ ନ ବାରି । ।୮୩।

 

ବାଳକ ବାଳିକା ଦୋଳି ବରଡାଳେ

ଖେଳି ବଳୀବର୍ଦ୍ଦ ଚରାନ୍ତି ତୋ କୂଳେ । ।୮୪।

 

କାହିଁ ନାନାରଙ୍ଗେ ଗୀତ ଗାଇ ଚଷା

କରେ ଆନନ୍ଦରେ ଆପଣା ବେଉଷା । ।୮୫।

 

କେଉଁଠାରେ ଗ୍ରାମ – ସୀମନ୍ତିନୀ କୁଳ

କାଖେ ଘଟ ଘେନି ପ୍ରବେଶ ତୋ କୂଳ । ।୮୬।

 

ଗୃହର ଜଞ୍ଜାଳ ବାପଘର କଥା

ପିଲାଙ୍କ ବ୍ୟାପାର କାର ଦେହବ୍ୟାଥା । ।୮୭।

 

କଥୋପକଥନ ହୋଇ ନାନାଭଳି

ଜଳ କଳସରେ ଭରି ଯାଏ ଚଳି । ।୮୮।

 

ବାସ କରିଛନ୍ତି ଯେମାନେ ତୋ ତୀରେ

ନରନାରୀ ମହା କାର୍ତ୍ତିକ ମାସରେ । ।୮୯।

 

ତୋର ପୂତ ସ୍ୱଚ୍ଛ ସଲିଳେ ଗାଧୋଇ

ଭକ୍ତିର ପୂଜନ୍ତି ଦାମୋଦର ରାଇ । ।୯୦।

 

ରାସ ପୂର୍ଣ୍ଣିମାର ପୁର୍ବ ରଜନୀରେ

କଦଳୀ ବାହୁଙ୍ଗା ନାବ ତୋର ନୀରେ । ।୯୧।

 

ପାନଗୁଆ ଥୋଇ ଦୀପଦାନ ଦେଇ

ଭସାଇ ଦିଅନ୍ତି ଆ-କା-ମା-ବଇ । ।୯୨।

 

ଆହା କି ସୁନ୍ଦର ଦିଶୁ ମଲାଗୁଣି

ନ ଦେଖିଲେ କିଏ ପ୍ରତେ ଯିବ ପୁଣି । ।୯୩।

 

କାହିଁ ତୋ ନିକଟେ ବିକଟ ଶ୍ମଶାନ

ଭ୍ରମୁଥାନ୍ତି କାକ , ଗୁଧ୍ର , ଶିବା , ଶ୍ୱାନ । ।୯୪।

 

ଦେଖୁଅଛୁ ଯେତେ ଭୟଙ୍କର ଚିତା

କରିବେ କି କବି କବିତାରେ ଚିନ୍ତା । ।୯୫।

 

ଏହିପରି କେତେ ଲୀଳା ଅବିରତ

ହେଉଛି ତଟିନୀ ଦେଖୁଛୁ ସମସ୍ତ । ।୯୬।

 

ଇତିବୃତ୍ତ କଥା ତୋର ତୀରେ ଊଣା

ନୂତନ ନୁହେଁ ସେ ବହୁତ ପୁରୁଣା । ।୯୭।

 

ଶ୍ୱାପଦ ସଙ୍କୁଳ ଗିରି ମଣିନାଗ

ଶିରେ ଯାର ଶିବ-ବାମା ମଣିନାଗ । ।୯୮।

 

ଦକ୍ଷିଣପାର୍ଶ୍ୱରେ ବିରାଜେ ତୋହର

ଶାଶ୍ୱତ ଶୋଭା‌ରେ ରାଜ୍ୟ ରଣପୁର । ।୯୯।

 

ତୋ ତୀର ଅଦୂରେ ଶୈଳ ଗଉଣିଆ

ଯା’ ର ପାଦେ ମାରୁଅଛୁ ଲହୁଣିଆ । ।୧୦୦।

 

ବାଙ୍କନିଧି ବାଙ୍କେଶ୍ୱରଙ୍କ ଦେଉଳ

ସିକୋ ଗ୍ରାମଠାରେ ତୋ କୂଳେ ମଞ୍ଜୁଳ । ।୧୦୧।

 

ଟାଙ୍କୋଳ ନିକଟେ ବଡ଼ ଆମ୍ୱତୋଟା

ତୋର ପଟୁ ପାଇ ଗଛ ମୋଟାମୋଟା । ।୧୦୨।

 

ସେ ବନେ ତେନ୍ତୁଳିମୂଳେ ତାରାଦେଈ

ରହିଛନ୍ତି ନାନା ଭକ୍ତିପୂଜା ପାଇ । ।୧୦୩।

 

ପାଟକ ଜାତିଙ୍କ ତହିଁ ଜାତିଆଣ

ହେଲେ ଦୋଷଦୋଷ କରନ୍ତି ପ୍ରମାଣ । ।୧୦୪।

 

ରଜ ତିନିଦିନ ହୁଏ ବାଦପୂଜା

ବିକା ହୁଏ ଚୂଡ଼ା , ଭୁଜା , ଗଜା , ଖଜା । ।୧୦୫।

 

ଯହିଁ ହଡ଼ାନଦୀ ତୋ ସଙ୍ଗେ ମିଳିତ

ଛଣଗିରି ଗ୍ରାମ ସେଠାରେ ବିଦିତ । ।୧୦୬।

 

ସପ୍ତାହରେ ବସେ ଦୁଇଥର ହାଟ

ପଣ୍ୟ ପାଟକାଠ ବାଉଁଶ କବାଟ । ।୧୦୭।

 

ଓଳସିଂହ ଗ୍ରାମ ତାହା ସମୀପରେ

ପାଟବସ୍ତ୍ର ପାଇଁ ଯା ଖ୍ୟାତି ପ୍ରସରେ । ।୧୦୮।

 

ବସନ୍ତ ଆଗମେ ମଞ୍ଜୁଜଳ କଳିକା

ବର୍ଷାରେ ମାଳତୀ ଅରଣ୍ୟମଲ୍ଲୀକା । ।୧୦୯।

 

ସୁମନେ ଭୂଷିତ ଯାର ଖର୍ବତନୁ

ଯା ଶୋଭା ଦେଖିଲେ ନ ଭୁଲିବେ ମନୁ । ।୧୧୦।

 

ସର୍ବଗ୍ରାସୀ କାଳଶକ୍ତି ଧ୍ୱଂସ କ‌ରେ

ଧାନଘର ଗିରିଉଭା ତୋ ପାର୍ଶ୍ୱରେ । ।୧୧୧।

 

ଚୂତ ତରୂପୂର୍ଣ୍ଣ କୁଟିଳ ରୁଚିର

ବିଦ୍ୟମାନ କିବା ଶ୍ୟାମଳ ପ୍ରାଚୀର  ।୧୧୨।

 

ପ୍ରକ୍ଷାଳନ କରୁଅଛୁ ତାର ପାଦ

ସେ ସ୍ଥାନ ଦେଖିଲେ ନ ରହେ ବିଷାଦ । ।୧୧୩।

 

ପିତା ଯେଣୁ ଗିରି ତୁହି ଅଟୁ କନ୍ୟା

ଭକ୍ତି ଦେଖାଇ ତୁ ହୋଇଅଛୁ ଧନ୍ୟା । ।୧୧୪।

 

କରୁ ତହିଁ ଗଣ୍ଡ ଛାୟାଟି ନିଗଣ୍ଡ

ସେଠାରେ ନ ବା‌ଧେ କିରଣ ପ୍ରଚଣ୍ଡ । ।୧୧୫।

 

ଗଡ଼ାଣିଆ ହେତୁ ଖରତରେ ଗଡ଼ି

ଯିବାରୁ ସେ ଗଣ୍ଡ ନାମ ଖଡ଼ଖଡ଼ି । ।୧୧୬।

 

ସେହି ଶୈଳପରେ କେତେଥର ରେଖା

ପରି ଶୈବଳିନୀ ଦେଇଅଛୁ ଦେଖା । ।୧୧୭।

 

ତୋର କ୍ରୋଡ଼େ ସ୍ଥିର ରାମେଶ୍ୱର ଗଡ଼

ଅଠର ଗଡ଼ରେ ଥିଲା ଦିନେ ବଡ଼ । ।୧୧୮।

 

ଉତ୍ତର ପଶ୍ଚିମ ନଦୀଗିରି ରକ୍ଷା

କରୁଥିଲା ଅନ୍ୟ ଦିଗରେ ପରିଖା । ।୧୧୯।

 

ଖୋରଧା ରାଜାଙ୍କ ଥିଲା ରାଜଧାନୀ

କାଳବେଶ ହେଲା ତା ଗୌରବ ହାନି । ।୧୨୦।

 

ଦୁର୍ଗର ପ୍ରାଚୀର ଭଗ୍ନ ଅବଶେଷ

ନବର-କୂପର ରହିଛି ଯା ଲେଶ । ।୧୨୧।

 

ଭୂପ ଆବାସର ଅବସ୍ଥା ଏସନ

ଭରି ଦିଏ ଶୋକେ ଦାର୍ଶକର ମନ । ।୧୨୨।

 

ଚିତ୍ରକୂଟାଚଳ ସ୍ୱଳ୍ପ ଦୂରେ ରହି

ତୋହର ଅବସ୍ଥା ଦେଖୁଛି ଲୋ ନଈ । ।୧୨୩।

 

ତୋର ନୀରେ ଅବଗାହୀ ଦାଶରଥି

ପୂଜିଥିଲେ ନିଧି ଦେଇ ପଶୁପତି । ।୧୨୪।

 

ତେଣୁ ରାମନିଧି ଶିବଙ୍କର ନାମ

ବିଜେ କରିଛନ୍ତି ରାମେଶ୍ୱର ଗ୍ରାମ । ।୨୨୫।

 

ସେ ପଦଯୁଗଳ ଧୋଇ ଯାଉ ବହି

ପୁଣି ତୋତେ ସେହି ଶିରେ ଛନ୍ତି ବୋହି । ।୧୨୬।

 

ଆର‌ତେ ଗୁହାରି କରନ୍ତେ ବଢ଼େଇ

ଶୁଖିଲା କାଠକୁ ଥିଲେ ଯେ ବଢ଼େଇ । ।୧୨୭।

 

ଅରୁଣ ଚାଉଳ କରିଥିଲେ ଗଜା

ତିନିଶ ଏକର ଭୂମି ଦେଲେ ରାଜା । ।୧୨୮।

 

ଏତେବେଳେ ହେଲେ କେତେ ନାରଖାର

ସବୁ ଜୁର କଲେ ମାରଫତଦାର । ।୧୨୯।

 

ଶିବଙ୍କର ଯେଣୁ ଜୟା ସ୍ରୋତସ୍ୱିନୀ

ସମଦଶା ଭୋଗ କରୁଛୁ ଭାମିନି । ।୧୩୦।

 

ଲୋକନାଥ ରଥ ବଡ଼ କର୍ମଣିଆ

ଦେଖାଇ ଦେଲେ ସେ ବ୍ରାହ୍କଣପଣିଆ । ।୧୩୧।

 

ନିଷ୍ଠାପର ହେତୁ ଶିବ ଅନୁଜ୍ଞାର

କରିଥିଲେ ସିନା ତଣ୍ଡୁଳ ଅଙ୍କୁର । ।୧୩୨।

 

ଏତେବେଳେ ତାଙ୍କ ଉତ୍ତରାଧିକାରୀ

ରଥନାମ ସାର୍ଥ ହୋଇଛି ତାଙ୍କରି । ।୧୩୩।

 

ରାମେଶ୍ୱର, ଚିତ୍ରକୂଟ , ମନ୍ଦାକିନୀ

ଏକସ୍ଥାନେ ଯେଣୁ ରହିଅଛି ତିନି । ।୧୩୪।

 

ତୀର୍ଥରୂପେ ତାଙ୍କ ନ ହେଲା ଗଣନା

କ୍ଷୁଦ୍ର ହେତୁ ସିନା ଏ ଅବମାନନା । ।୧୩୫।

 

ଏହିଠାରେ ଅଛି କୂଆମରା ଟାଙ୍ଗି

ରାମାୟଣ କଥା ମନେ ଯାଏ ଜାଗି । ।୧୩୬।

 

ମାଂସଲୋଭେ ସ୍ତନେ କଲା ଚଞ୍ଚୁଘାତ

ବାଙ୍କଦୃଷ୍ଟି କଲେ କାକେ ରଘୁନାଥ । ।୧୩୭।

 

ଏହି କି ସେ ସ୍ଥାନ ଜାଣୁ ତୁ ସରିତ

ଦେଖି ନାହିଁ ସିନା ଶୁଣିଚି ଚରିତ । ।୧୩୮।

 

ଷୋଳଖମ୍ୱ ଟାଙ୍ଗି ଏଠାରେ ବିଦିତ

କେଉଁ ଉଦ୍ଦେଶ୍ୟରେ କାହିଁକି ଖୋଦିତ । ।୧୩୯।

 

ଅନୁମିତ ହୁଏ ଅବା ରଘୁବୀର

ରହିଥିଲେ ଏଥି ନିର୍ମାଣି କୁଟୀର । ।୧୪୦।

 

ତୋର ନୀରେ ଅବଗାହି ସୀତାପତି

ପୂଜିଥିଲେ ଗୋଳବାଇ ଭଗବତୀ । ।୧୪୧।

 

ରାମନିଧିଙ୍କର ଅଟନ୍ତି ମହିଳା

ପୁର୍ବେ ପଞ୍ଚୁଦୋଳ ଦେଖା ହେଉଥିଲା । ।୧୪୨।

 

ଏବେ ‌କେଉଁପରି ରହିଲେ ସେ ତେଜି

କାରଣ ତାହାର ପାରୁ ନାହିଁ ବୁଝି । ।୧୪୩।

 

ତୋ ’ ଗର୍ଭରେ ଯେଣୁ ଅଛନ୍ତି ଶଙ୍କର

ଜଳେଶ୍ୱର ନାମ ହୋଇଛି ତାଙ୍କର । ।୧୪୪।

 

ଭଗବତୀ ଜଳେଶ୍ୱର ଏ ଏକାଠି

ସେ ବେନିକୁ ଘେନି ସ୍ଥାନ ପରିପାଟୀ । ।୧୪୫।

 

ପଲ୍ଲୀଗ୍ରାମ ଖଣ୍ଡେ ଅଛି ତାଳପଡ଼ା

ପ୍ରାଚୀର ପରାଏ ଘେରିଅଛି ହୁଡ଼ା । ।୧୪୬।

 

କୃଷ୍ଣପୁର , ରାୟପୁର , ରକ୍ତପଟା

ବେନି ଉପକୂଳେ ଘେନି ଆମ୍ୱତୋଟା । ।୧୪୭।

 

ଯହିଁ ଦୟାସଙ୍ଗେ ତୋହର ସାକ୍ଷାତ

ବଡ଼ବଳଭଦ୍ରପୁର ତହିଁ ଖ୍ୟାତ । ।୧୪୮।

 

ନାବେ ବସିବାରେ ସ୍ରୋତ ଅନୁକୂଳେ

କି ଶୋଭା ଦିଶନ୍ତି ବୃକ୍ଷ ବେନିକୂଳେ । ।୧୪୯।

 

ପ୍ରତେ ହୁଏ ସତେ ଜଙ୍ଗମ କି ଗଛ

କେଡ଼େ ବେଗେ ମୋର ହୁଅନ୍ତି ସେ ପଛ। ।୧୫୦।

 

ଶ୍ୟାମଳ ସୁନ୍ଦର ଦିଶେ ଦୁଇତୀର

ତରଣୀର ଗତି ରଣେ ଯଥା ବୀର । ।୧୫୧।

 

ପୁରାଣେ ଶୁଣି ମୁଁ କରୁଛି ନିର୍ଣ୍ଣୟ

ଆଦିଯୁଗ ନଦୀ ତୋ ଜନ୍ମ ନିଶ୍ଚୟ । ।୧୫୨।

 

‌ଯେ ଘଟଣାରାଜି ଆଜିକି ଅତୀତ

ସବୁ ତୋ ପ୍ରତି ତ ହୁଅଇ ପ୍ରତୀତ । ।୧୫୩।

 

ଏଠାରେ ତୋଠାରୁ ନେଉଛି ମେଲାଣି

ତୋ ବିଷୟେ ମୋର ଗୀତ ସରିଲାଣି । ।୧୫୪।

 

ରାୟ ବାହାଦୁର ଶ୍ରୀରାଧାଚରଣ

ଦାସ ମହାଶୟ କୁଳୀନ କରଣ । ।୧୫୫।

 

ତୋର ଶୋଭା ଦେଖି ହେଲେ ବିମୋହିତ

ତାଙ୍କ ଭାବୁକତା କରିଛି ମୋହିତ । ।୧୫୬।

 

ଏଥି‌ପାଇଁ ମୋତେ ଦେଲେ ପ୍ରରୋଚନା

ଶକ୍ତି ଅନୁସାରେ କଲି ମୁଁ ରଚନା । ।୧୫୭।

 

 

ଗଜ ଉଦ୍ଧାରଣ

 

ନୀଳାଚଳ ପତି କଳାଶ୍ରୀମୁଖ ହେ

ଚକାଡୋଳା ପଦ୍ମମୁଖ

ତିଳାର୍ଦ୍ଧେ ମୋଠାରେ କରୁଣା ନ କଲେ

ଭେଳା ବୁଡ଼ୁଅଛି ଦେଖ ।୧।

ଫଳାଫଳ କରି କେତେ ମୁଁ ବର୍ଣ୍ଣିବି

ବଳାନୁଜ କଳାମୂର୍ତ୍ତି

ବଳାବଳ ମୋତେ ଦୁର୍ଦ୍ଦଶା ହେଲାଣି

ହେଳା ନ କର ଶ୍ରୀପତି ।୨।

ଜଗତମଧ୍ୟରେ ଭଗତ ଯେ ଅଟେ

ଏ ଭାଗବତ ପୁରାଣ

ଜାଗ୍ରତ ହୋଇ ତା ଆଗ୍ରହ କରିଲେ

ନ ଦଣ୍ଡିବ ଜନ୍ତୁରାଣ ।୩।

ବଇଶାଖ ମାସ ଏକାଦଶୀ ଦିନ

ସମୁଦ୍ର ହେଲା ଜୁଆର

କଇଞ୍ଚ , ମଗର , ମାଛ ଜଳଚର

ଭାସିଆସିଲେ ଅପାର ।୪।

 

ବିକ୍ରମ ନାମେଣ କୁମ୍ଭୀର ଏକାଳେ

ପାଣିରୁ ହେଲା ବାହାର

ଜଳଜନ୍ତୁ ଯେତେ ଆଗରେ ପଡ଼ନ୍ତି

ସଭିଙ୍କି କଲା ଆହାର ।୫।

 

ଅଶୀକୋଶ ଯାଏଁ ଭାସିଗଲା ସେହି

ଗ୍ରାସି କେତେ ବାରିଚର

ସେହିକ୍ଷଣି ପାଣି ଛାଡ଼ି ଯିବାରୁ ସେ

ପଡ଼ିଲା ଭୂମି ଉପର ।୬।

 

ଛୋଟ ନୁହଁଇ ସେ ପାହାଡ଼ ପରାୟେ

ଅଟଇ ଅତ୍ୟନ୍ତ ମୋଟ

ଚାଲି ନ ପାରିଣ ଖାଲି ବାଲିରେ ସେ

ପଡ଼ିହେଲା ଛଟପଟ ।୭।

 

ଗିରି ପରି ତାର ଶରୀର ଅଟଇ

ଏ କାଳେ କୁମ୍ଭକ ହସ୍ତୀ

ବାରି ଖାଇବାକୁ ଧରି ବାହାରିଲା

ଭାରିଯାଦି ପୁଅ ନାତି ।୮।

 

ନକ୍ର ଦେଖି ତାକୁ ମନେ ବିଚାରିଲା

ରଖି ପାରିବ ଏ ମୋତେ

ମିତ ଡାକିଲେ ଏ ହିତକୁ କରିବ

ଚିତ୍ତରେ ହୁଏ ପରତେ ।୯।

 

ଏପରି ବିଚାରି ମିତ ବୋଲି କରି

ଡାକ ଦେଲା ବାରମ୍ୱାର

କୁମ୍ଭୀରର ଡାକ କୁମ୍ଭକ କର୍ଣ୍ଣରେ

ପଡ଼ନ୍ତେ ଫେରିଲା ତର ।୧୦।

 

ପିଲାଏ କହିଲେ କାହିଁଙ୍କି ଯାଉଛ

ତାହା ଶୁଣି କହେ ହସ୍ତୀ

ପୂର୍ବେ କେଉଁ ପାପ କରିବାରୁ ଆମ୍ଭେ

ହୋଇଲଇଁ ପଶୁ ଜାତି ।୧୧।

 

ମାତଙ୍ଗ କହିଲା ଆତଙ୍କ କାଳରେ

ଡାକ ଦେଉଥିଲେ ଜୀବ

ତାହା ଶୁଣ ଯିଏ ସାହାଯ୍ୟ ନ କରି

ସେଠାରୁ ବାହାରି ଯିବ ।୧୨।

 

ଅନ୍ତକାଳେ ତାକୁ ହନ୍ତସନ୍ତ କରି

ଅନ୍ତକ ଦେବଟି ସଜା

ଏହି ପରକାରେ ବୁଝାଇ ପିଲାଙ୍କୁ

ବାହାରିଲା ଗଜରାଜା ।୧୩।

 

କୁମ୍ଭୀର ବୋଇଲା ପଡ଼ି ଶଢ଼ିଯିବି

ଉଡ଼ିଯିବି ମୋର ପ୍ରାଣ

ଗଭୀର ଜଳରେ ଛାଡ଼ିଦେଇ ଆସ

କରୁଣା କର ଆପଣ ।୧୪।

 

କରୁଣା ବହିଲା ବରୁଣ ଯାଦବ

ତବ ଚରଣାରବିନ୍ଦ

ମରଣ କାଳରେ ସ୍ମରଣ କରିବ

କରଣ ଗୋକୁଳାନନ୍ଦ ।୧୫।

 

ଦ୍ୱିତୀୟ ଛାନ୍ଦ

 

କୁମ୍ଭୀରକୁ ଥୋର ହସ୍ତେ ହେ ସୁଜନେ

ହସ୍ତୀ ଚାଲେ ଆସ୍ତେ ଆସ୍ତେ

ତା ଭାରିଯା ନାତି ନ ଛାଡ଼ନ୍ତି ସାଥି

ପଛେ ଚାଲନ୍ତି ସମସ୍ତେ ।୧।

 

ମିଳିଲା ସମୁଦ୍ରତଟ ହେ ସୁଜନେ

କୁମ୍ଭୀର ତ ନୁହେଁ ଛୋଟ

ଛୋଟ ନୁହଁଇ ସେ ପାହାଡ଼ ପରାୟେ

ଅଟଇ ଅତ୍ୟନ୍ତ ମୋଟ ।୨।

 

ଚାଲି ନ ପାରିଣ ଖାଲି ବାଲିରେ ସେ

ହେଉଥିଲା ଛଟପଟ

ବହୁ ବାଟ ବୋହି ନେବାରୁ ହସ୍ତୀର

ଦନ୍ତ ହେଲା କଟମଟ ।୩।

 

ଏଥି ପହଁରାଏ ପାଣି ହେ ମଇତ୍ର

ଏଠାରୁ ଦିଅ ମେଲାଣି,

 

ଆଉଖଣ୍ଡେ ଦୂର ନିଅ ବୋଲି କରି,

କୁମ୍ଭୀର କହିଲା ବାଣୀ ।୪।

 

ବହୁତ ହୁଅନ୍ତେ ଜଳ ହେ ସୁଜନେ

କୁମ୍ଭୀର ଡେଇଁ ଚଞ୍ଚଳ

ଖଗ ଚାରିଗୋଡ଼ ଗୁଡ଼ାଇ ଧଇଲା,

ହସ୍ତୀ ହେଲା କଲବଲ ।୫।

 

ଢେଉ ଆସେ ଯେତେବେଳେ ହେ ସୁଜନେ

ଗଜ ବୁଡ଼େ , ସେତେବେଳେ

ଲୁଣି ପାଣିରେ ସେ ଛଟପଟ ହେଲା

ଆସି ନ ପାରଇ ବଳେ ।୬।

 

ସଙ୍ଗେ ଯେତେ ହସ୍ତୀ ଥିଲେ ହେ ସୁଜନେ

ଥୋର ହସ୍ତରେ ଟାଣିଲେ,

ଟାଣିଲେ କୁମ୍ଭୀର ଧରିଅଛି ଯେଣୁ

ନ ଚଳଇ ତେଣୁ ତିଳେ ।୭।

 

ହାତୀ ବିଚାରେ ତା ମତି ହେ ସୁଜନେ ,

ମରୁଥିଲେ ଏ ଦୁର୍ମତି

 

ଉପକାର କଲି ବୋଲି ମୁଁ ଏହାର ,

ହେଲେ ମୋତେ ଏ ବିପତ୍ତି ।୮।

 

ଏପରି ପିଚାରି ହୃଦୟେ ସୁଜନେ

ମନେ ଚିନ୍ତିଲା ଗୋବିନ୍ଦ

ମରଣକାଳରେ ପ୍ରକାଶ କରିବ,

ଗରିବ ଗୋକୁଳାନନ୍ଦ ।୯।

 

ତୃତୀୟ ଛାନ୍ଦ

 

ଆତଙ୍କେ ଡାକ ଦେଲା ଗଜ ହେ ଦେବରାଜ

ନ ରଖିଲେ ମଲି ମୁହିଁ ନକ୍ର ଆକ୍ରମଣେ ଆଜ । (ଘୋଷା)

ମିତହିତ ଆଚରିଲି ବିପଦରେ ମୁଁ ପଡ଼ିଲି ,

ବିପତିବାହାନ ବାରେ ବୁଝ ,

ବିଶ୍ୱାସଘାତକପଣ କଲା ନିର୍ଲଜ

ହେ ପତିତପାବନ ମୋ ଆପତ୍ତି ବହନ ବୁଝ ।୧।

 

ଇନ୍ଦ୍ର ସଂଗରେ ଲଢ଼ିଲ ଗୋପୀ ଗୋପାଳ ରଖିଲ

ଗୋବର୍ଦ୍ଧନ ଧରି ବାମଭୁଜ ,

ମଥୁରାରେ ସଳଖିଲ କୁବୁଜା କୁଜ

ଦେବତାଙ୍କୁ ଉଦ୍ଧରିଲ ବିନାଶି କଂସ ଦନୁଜ ।୨।

 

ହରିଣୀ ବନେ ସ୍ମରଣ କରିବାରୁ ଶ୍ରୀଚରଣ

ତା କଷଣ କରିଛ ଖାରଜ ,

ବସନ ଦେଇ ରଖିଲ ଦୌପଦୀ ଲାଜ

ତାରିଲ ଗୌତମ ନାରୀ ଦେଇ ଶ୍ରୀ ପୟରୁ ରଜ ।୩।

 

କେଶରୀ-ଭୟରେ ଶଶା ଡାକନ୍ତେ ଫେଡ଼ିଲ ଦଶା

ରକ୍ଷାକଲ ଭରତିଆ ଦ୍ୱିଜ ,

ବହୁତ ବିତ୍ତ ପାଇଲେ ସୁଦାମା ଦ୍ୱିଜ

କରଣ ଗୋକୁଳାନନ୍ଦ ଶରଣ ପାଦ ପଙ୍କଜ ।୪।

 

ଚତୁର୍ଥ ଛାନ୍ଦ

 

ଜୟ ଗଣପତି ଗଣେଶ ,

ଗିରିଜାଙ୍କ ନନ୍ଦନ

ଦେବତାଙ୍କ ମଧ୍ୟେ ଆପଣ ,

ସର୍ବ ଅଗ୍ରେ ବନ୍ଦନ ।୧।

ପଶାରେ ବଳାଇ ଆଶାକୁ ,

ସଙ୍ଗେ ଲକ୍ଷ୍ମୀଙ୍କି ଧରି ,

ଖେଳରେ ଥିଲେ ଯେ ସେ କାଳେ

ବଇକୁଣ୍ଠରେ ହରି ।୨।

ଆତଙ୍କେ ଡାକନ୍ତେ ମାତଙ୍ଗ ,

ତାହା ବାଜନ୍ତେ କର୍ଣ୍ଣେ ,

ରଖିଲି ରଖିଲି କହିଲେ ,

ମହାପ୍ରଭୁ ତକ୍ଷଣେ ।୩।

କମଳା ବୋଇଲେ କେ ମଲା ,

କାହାକୁ ରଖୁଅଛ ,

ଏପଟକୁ ଦେଖି ନିପଟ ,

କପଟ କି କରୁଛ ।୪।

 

ହାରିବ ଏ ଦାନ ମରିବ ,

ତେଣୁ ମନରେ ଭୟ ,

ଭାବନା କରୁଛ ମନର

ଏହା ଅଟେ ନିଶ୍ଚୟ ।୫।

 

ବାରଣ ଚିନ୍ତିଲା ମରଣ –

ଭୟେ ମିତ ଆମ୍ଭଙ୍କୁ ,

ଗଭୀର ଜଳରେ କୁମ୍ଭୀର ,

ଗ୍ରାସ କରୁଛ ତାକୁ ।୬।

 

ନିକଟେ ନାହିଁ ସେ ସଙ୍କଟେ

ପଡ଼ିଥିବାରୁ କରୀ ,

ଜାଣିଲ କିପରି ଭଣ୍ଡିଲ ,

ରଖିଲି ବୋଲି ହରି ।୭।

 

ମିଥ୍ୟା ତ ନୁହଁଇ ଏକଥା ,

ଯାହା କହିଲି ତୋତେ ,

ଆଖିରେ ଦେଖିଲେ ସଖୀ ରେ ,

ସିନା ଯିବୁ ପରତେ ।୮।

 

ସ୍ମରଣ କରନ୍ତେ ଚରଣ –

ତଳେ ବିନତାସୁତ ,

ଦର୍ଶନ ଦିଅନ୍ତି ପ୍ରସନ୍ନେ

ତହିଁ ବିଜେ ଅଚ୍ୟୁତ ।୯।

 

ଲକ୍ଷ୍ମୀଙ୍କି ଘେନିଣ ସଂଗରେ

ପକ୍ଷୀପିଠିରେ ହରି

ଚଳିଲେ ଚଞ୍ଚଳ ମିଳିଲେ

ଯହିଁ ରହିଛି କରୀ ।୧୦।

 

କମର କଷିଣ ଅମର –

ଗଣେ ତହିଁ ହାଜର

ସକଳେ ଦେଖିଲେ ବିକଳ,

ଅତିଶୟ ଗଜର ।୧୧।

 

ତକ୍ଷଣ କମଳ – ଈକ୍ଷଣ

ପକ୍ଷୀ ଉପରୁ ଡେଇଁ

ଚକ୍ରରେ ହାଣିଲେ ନକ୍ରକୁ,

ଗଜକୁ ଟାଣି ନେଇ ।୧୨।

 

ଶ୍ରୀକର ଲାଗନ୍ତେ ନିକର,

ଗଜ ‌ହେଲା ଉଦ୍ଧାର

ମରିଲା ଶାପରୁ ତରିଲା,

ବାରିଚର କୁମ୍ଭୀର ।୧୩।

 

କୁମ୍ଭୀର ଗଜର ପୁର୍ବର

ଅଭିଶାପ ବୃତ୍ତାନ୍ତ

କହିବ ଗାୟକ ମୋହିବ ,

ସଭାଜନଙ୍କ ଚିତ୍ତ ।୧୪।

 

ନଦର କରଣ କଦର ,

ବୁଧ ବୁଝ ହୃଦର

ସୁନ୍ଦର ଗୋକୁଳାନନ୍ଦର

ଅଟେ ପଦ ପନ୍ଦର ।୧୫।

 

ମୃଗୁଣୀ ସ୍ତୁତି

 

ସୀତାପତି ଚିନ୍ତା କରି ହେ ସୁଜନେ

ପାନ କର ଦିବ୍ୟ ରସ

ସ୍ଥିର କରି ଚିତ୍ତ ଗୀତରେ ମଜ୍ଜିଲେ

ହିତଟି ହୁଏ ଅବଶ୍ୟ ।୧।

 

ଭଣ୍ଡ ନୁହଇ ଏ ଖଣ୍ଡପରି ମିଠା

ନ ଧର ମନେ ଅନର୍ଥ

ଦଣ୍ଡଧର ଦଣ୍ଡ ଖଣ୍ଡନ ନିମନ୍ତେ

ଦଣ୍ଡକେ ହେବ ସମର୍ଥ ।୨।

 

ସୁବାହୁ ନାମକ କାନନର ନାମ

ଦେଖିଲେ ମୋହିବ ମନ

ସୁନ୍ଦର ହେତୁ ସେ ହର ପାର୍ବତୀଙ୍କ

ଅଟଇ ଯେ କ୍ରୀଡ଼ାସ୍ଥାନ ।୩।

 

ଦଇବ ଭିଆଣ କେ କରିବ ଆନ

ଯେତେବେଳେ ଯାହା ଯୋଗ

 

କର୍ମ ଦୁର୍ବଳରେ ନିଶ୍ଚୟ ଆସିଲେ

ଅବଶ୍ୟ ହୋଇବ ଭୋଗ ।୪।

ଦିନକରେ ଏକ ହରିଣୀ ସଙ୍ଗରେ

ଚରୁଥିଲେ ପିଲା ବେନି

ବିରୁପାକ୍ଷ ନାମେ ଶବର ଏକାଳେ

ମଳିଲା କୁକୁର ଘେନି ।୫।

ମୃଗୁଣୀକି ଦେଖି ଦୂରୁ ସେ ଶବର

ବିଶେଷ ଆନନ୍ଦ ମିତି

କିଛିଦିନ ଉପବାସକୁ ଆହାର

ଯୋଗାଇଛି ପ୍ରଜାପତି ।୬।

ଉଦର ପୋଷିବି ସୋଦର ତୋଷିବି

ଆଦର କରିବେ ଜନ

ନଦର କରିଣ କଦର ଭାବରେ

ଚଳିଲା ସେ ଘୋରବନ ।୭।

ଘୋର ଜଙ୍ଗଲରେ ପିଲାଙ୍କ ସାଙ୍ଗରେ

ହରିଣୀ ଯେ ଚରୁଥିଲା

 

ନିକଟକୁ ତାର ଯାଇଣ ଶବର

ଆଗେ ଜାଲବାଡ଼ ଦେଲା ।୮।

 

ପାଖେ ଜାଲବାଡ଼ ପାଖକେ କୁକୁର

ପାଖେ ଲଗାଇଲା ନିଆଁ

ଅପର ପାଖରେ ଧନୁଶର ଧରି

ଶବର ହୋଇଲା ଠିଆ ।୯।

 

ଧର ଧର ମାର ମାର ବୋଲି ଦୂରୁ

ଉଚ୍ଚରେ କହଇ ବ୍ୟାଧ

କୁକୁର ଭୁକନ୍ତେ ହରିଣୀ ଚାହିଁଲା

ପଡ଼ିଲା କି ପରମାଦ ।୧୦।

 

ପଳାଇ ଯିବାକୁ ଦେଖିଲା ବେଳକୁ

ଆଗରେ ଅଛି ଶବର

ପାଖେ ଜାଲବାଡ଼ ପାଖକେ କୁକୁର

ପାଖକେ ଜଳେ ଅନଳ ।୧୧।

 

ଗର୍ଭେ ଦଶମାସ କୋଳେ ବେନି ଶିଷ୍ୟ

ଗମନ କରେ ଅଳସ

 

ଆତଙ୍ଗେ ମୃଗୁଣୀ ଡାକ ଦେଲା ଗୁଣି

ରକ୍ଷାକର ପୀତବାସ ।୧୨।

 

ବେନିକର୍ଣ୍ଣେ ନରେ ପାନ କର ଥରେ

ଅମୃତ ସମାନ ପଦ

ହରିଣୀର ଧ୍ୟାନ ଆନ ବିଷୟରେ

କହିବ ଗୋକୁଳାନନ୍ଦ ।୧୩।

 

ଦ୍ୱତୀୟ ଛାନ୍ଦ

 

ହରି ହରି ଗୁଣି             ଡାକଇ ମୃଗୁଣୀ

ପଡ଼ିଚି ଘୋର ବିପତ୍ତି

ଚରୁ ଚରୁ ହରୁ -            ଅଛି ମୋ ଜୀବନ

ଏ ବନେ ବ୍ୟାଧ ଦୁର୍ମତି ।        ।୧।

 

ଆହେ ମହାବାହୁ            ସାହା ନ ହୋଇଲେ

ରାହା ନାହିଁ ଚଉକତି

କୃପାରେ କୃପଣ            ନ ହୋଇ ଆପଣା

ଏ ପ୍ରାଣ ରଖ ସମ୍ପ୍ରତି        ।୨।

 

 

ତୃତୀୟ ଛାନ୍ଦ

 

ଧ୍ୟାନ ଲଗାନ୍ତେ ଚରଣାରବିନ୍ଦ

ଜାଣିଲେ ଭଣ୍ଡବତ୍ସଳ ଗୋବିନ୍ଦ

ମନରେ ବିଚାର କଲେ ଶ୍ରହରି

ବନରେ ହରିଣୀ ମୋତେ ସୁମରୀ

ଦାନ କରିବି ଜୀବନ ଯେ

ଆନନ୍ଦ ହୋଇଣ ସାନ ପିଲାଙ୍କୁ ସେ

ଘେନି ଚଳିବ ଭବନ ଯେ ।୧।

 

ମଘବାଙ୍କୁ ଶୀଘ୍ର ଦେଲେ ଆଦେଶ

ମେଘଙ୍କୁ ପଠାଇ ବେଗେ ବରଷ

ଅଘୋର କାନନ ସୁବାହୁ ବନ

ଭୟରେ ହରିଣୀ କରୁଛି ଧ୍ୟାନ

ବିପତ୍ତିରୁ ତାକୁ ତାର ହେ

ମାପତି ଆପତ୍ତି ଶୁଣି ଶଚୀପତି

ଉପାୟ କଲେ ସତ୍ୱର ଯେ ।୨।

 

ଆବର୍ତ୍ତକ , ସମ୍ୱର୍ତ୍ତକ , ପୁଷ୍କର

ଦ୍ରୋଣ ସହିତେ ଚାରି ବାରିଧର

ସୁବାହୁ ବନରେ କଲେ ଗର୍ଜନ

ବଜ୍ରରେ ଗଲା କୁକୁର ଜୀବନ

ଜାଲ ଛିଡ଼ିଲା ପବନେ ଯେ

ସର୍ପର ଆଘାତେ ଶବର ଶରୀର

ଶବ ହୋଇଲା ସେ ସ୍ଥାନେ ଯେ ।୩।

 

ଧ୍ୟାନ ଲଗାନ୍ତେ ଚରଣେ ଅପାର

ବିପଦୁ ହରିଣୀ ହେଲା ଉଦ୍ଧାର

ବିପଦୁ ଆପଦୁ ଆହେ ସୁମନ

ଏ ପଦରେ ଲୟ ଦିଅ ସୁଜନ

ଏ ଗୀତ ଯୋଡ଼ୁଛି ପଦ ଯେ

ଶ୍ରୀହରିଚରଣ ସ୍ମରଣ କରିଣ

କରଣ ଗୋକୁଳାନନ୍ଦ ଯେ ।୪।